ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଦାୟିତ୍ୱ ଗ୍ରହଣ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ପଦ୍ମଲୋଚନ ଜାଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ଅବସରରେ ସରପଞ୍ଚ ଶ୍ରୀଯୁକ୍ତ ଜାଲ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା, ନାଏବ ସରପଞ୍ଚ ଓ ଜନସାଧାରଣଙ୍କୁ ନିଜର କୃତଜ୍ଞତା ଅର୍ପଣ କରିବା ସହିତ ପଞ୍ଚାୟତର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ପଞ୍ଚାୟତର ବିକାଶ ଦିଗରେ ସହଭାଗୀ ହେବେ ବୋଲି ମତପୋଷଣ କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁପ ବିଶ୍ବାଳଙ୍କ ଉପସ୍ଥିତରେ ସରପଞ୍ଚ ଶ୍ରୀଯୁକ୍ତ ଜାଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା । ପରେ ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ, ମାଣ୍ଡେଲ ଗ୍ରାମପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ପ୍ରଯତ୍ନ କରିବେ ବୋଲି କହିବା ସହିତ ପଞ୍ଚାୟତବାସୀଙ୍କ ସହଯୋଗ କାମନା କରିଛନ୍ତି ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲା ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୩କିମି ଦୂରରେ ଥିବା ମାଣ୍ଡେଲ ସରପଞ୍ଚ ୨୦୦୨ରେ ସ୍ଥାପିତ ହୋଇଥିଲା । ଏହି ପଞ୍ଚାୟତକୁ ଅନେକ ସରପଞ୍ଚ ଆସିଛନ୍ତି ଯାଇଛନ୍ତି ତେବେ ଏଥର ପଞ୍ଚାୟତବାସୀ ଜଣେ ଉଚ୍ଚ ଶିକ୍ଷିତ ଯୁବକ ପଦ୍ମଲୋଚନ ଜାଲଙ୍କୁ ନିର୍ବାଚିତ କରିଛନ୍ତି । ଶ୍ରୀଯୁକ୍ତ ଜାଲ ବିଗତ ଦିନରେ ଅବୈତନିକ ଭାବରେ ଶିକ୍ଷାଦାନ କରି ଅନେକ ଉତ୍ତମ ଛାତ୍ରଛାତ୍ରୀ ନିର୍ମାଣ କରି ପାରିଛନ୍ତି । ଏହାସହ ଜଣେ ସମାଜସେବୀ ଭାବେ ସେ ଅଞ୍ଚଳର ସେବା କରି ଆସୁଛନ୍ତି । ଆଗକୁ ସେ ପଞ୍ଚାୟତର ବିକାଶ ଧାରାକୁ ଆଗେଇ ନେବେ ବୋଲି ପଞ୍ଚାୟତର ଜନ ସାଧାରଣ ଆଶା ପୋଷଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.