ନଈରେ ଚହଲା ଖୋଲିବା ପାଇଁ ଦାବି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଆ ଗାଁ ନିକଟଦେଇ ବୋହି ଯାଇଛି ଚିରସ୍ରୋତା ବିହୀନ ରେତନଦୀ । ବୋରିଆ ଗ୍ରାମବାସୀ ସମେତ ଆଖପାଖ ଅଞ୍ଚଳର ଲୋକମାନେ ପ୍ରତ୍ୟେକ ଦିନ ନିତ୍ୟବ୍ୟବହାର୍ଯ୍ୟ ଏବଂ ଚାଷ କାମ ପାଇଁ ନଦୀପାଣି ଉପରେ ନିର୍ଭର କରିଥାନ୍ତି । ହେଲେ ଚଳିତ ବର୍ଷ ବୈଶାଖ ମାସ ନ ଆସୁଣୁ ନଈ ଧାର ଶୁଖିଲା ଅବସ୍ଥାରେ ପଡ଼ି ରହିଛି ।ଅପରପକ୍ଷରେ ବୋରିଆ ଗ୍ରାମବାସୀ ପାଣି ଟିକକ ପାଇଁ ଏବେ ଠାରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବୋରିଆ ଗାଁକୁ ସରକାରଙ୍କ ପକ୍ଷରୁ ବସୁଧା ଯୋଜନା ମାଧ୍ୟମରେ ପାନୀୟ ଜଳଯୋଗାଣ ଲାଗି ଏକ ପ୍ରକଳ୍ପ ନିର୍ମାଣ ହୋଇଛି ଏବଂ ରେତ ନଦୀ ରେ ଇଣ୍ଟେକଓ୍ବୈଲ ଖୋଲାଯାଇଛି । ଯାହାକି ଏଥିରୁ ନିୟମିତ ଜଳ ଯୋଗାଣ କରିବା ପାଇଁ ବ୍ୟବସ୍ଥା ରହିଛି । ହେଲେ ଚଳିତ ବର୍ଷ ଖରା ମାସ ଆରମ୍ଭ ହେଉଣୁ ନଈ ଧାର ଶୁଖି ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି । ଫଳରେ ପର୍ଯ୍ୟାପ୍ତ ପରିମାଣର ପାଣି ସପ୍ଲାଇ ହୋଇପାରୁନି । ଅନ୍ୟପଟେ ଦିନକୁ ଦିନ ଖରାର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି ଅଭିଯୋଗ ହୋଇଛି । ସେହିପରି ନଈ କୁଳ ଅଂଚଳ ମାନଙ୍କରେ ଅନେକ ଚାଷୀମାନେ ବିଭନ୍ନ ପ୍ରକାରର ଚାଷ ସମେତ କଦଳୀ ଚାଷ କରିଛନ୍ତି । ପାଣି ମଡ଼ାଇବା ପାଇଁ ଉଠା ଜଳସେଚନ ପଏଣ୍ଟ ମଧ୍ୟ ରହିଛି । ହେଲେ ନଈ ମଧ୍ୟରେ ପାଣି ନଥିବାରୁ ଚାଷୀମାନେ ନଈରେ ନିଜ ଉଦ୍ୟମରେ ଚହଲା ଖୋଲି ଚାଷକୁ ପାଣି ମଡ଼ାଇବା ଲାଗି ଉଦ୍ୟମ କରୁଛନ୍ତି । ଏଭଳି ସ୍ଥିତିରେ ଚାଷୀମାନେ ମଧ୍ୟ କ’ଣ କରିବେ ଅକଲ ଗୁଡୁମ ହୋଇଯାଇଛନ୍ତି । ଏଣୁ ଏଦିଗରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଦୃଷ୍ଟି ଦେଇ ନଦୀ ମଧ୍ୟରେ ଚହଲା ମାନ ଖୋଲିଦେବା ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି ।