କୋରାପୁଟ ପୌରାଞ୍ଚଳ ହାତେଇବାକୁ ତିନି ପ୍ରମୁଖ ଦଳର ସମରସଜ୍ଜା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ପୌର ନିର୍ବାଚନକୁ ନେଇ ଜିଲ୍ଲାର ପୌରାଞ୍ଚଳ ଚଳଚଞ୍ଚଳ ହୋଇ ପଡ଼ିଛି । ପୌରାଞ୍ଚଳରେ ପ୍ରାର୍ଥୀ ଭୋଟ ସାଉଁଟିବା ପାଇଁ ନାନା କସରତ କରୁଥିବା ଦେଖାଦେଇଛି । ସେପଟେ ବିକାଶର ହିସାବନିକାଶ କରି ନେତାଙ୍କୁ ପରଖିବାକୁ ପ୍ରସ୍ତୁତ ହେଲେଣି ଭୋଟର । କୋରାପୁଟ ଜିଲ୍ଲାର ୪ଟି ପୌରାଞ୍ଚଳରେ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ୩ପ୍ରମୁଖ ଦଳ ବିଜେପି ବିଜେଡି ଓ କଂଗ୍ରେସ ନିଜ ରଣନୀତି ମୁତାବକ ସଜବାଜ ଆରମ୍ଭ କରିଛନ୍ତି । କୋରାପୁଟ ପୌରାଞ୍ଚଳ ହାତେଇବାକୁ ପ୍ରମୁଖ ଦଳ ପ୍ରସ୍ତୁତପୌର ନିର୍ବାଚନକୁ ନେଇ କୋରାପୁଟ ରାଜନୀତି ସରଗରମ ରିହିଛି । ୨୦୧୩ରେ ଶେଷ ପୌରପରିଷଦ ଗଠନ ହୋଇଥିବାବେଳେ ଏଥର ସିଧାସଳଖ ପୌରାଧ୍ୟକ୍ଷ ବାଛିବେ ଭୋଟର । ଏଥି ସହିତ ନିଜ ଓ୍ବାର୍ଡର ଭଲମନ୍ଦ ବୁଝିବା ପାଇଂ କାଉନସିଲର ମଧ୍ୟ ନିର୍ବାଚିତ କରିବେ । ଏଣୁ ପ୍ରମୁଖ ତିନି ଦଳ କସରତ ଆରମ୍ଭ କରିଛନ୍ତି । ସାଙ୍ଗଠନିକ ସ୍ତରରେ ମଜଭୁତ ଥିବା ବିଜୁ ଜନତା ଦଳ ବୁଥ୍ ସ୍ତରରୁ କର୍ମୀଙ୍କୁ ଏକାଠି କରି କିଭଳି ସବୁସ୍ତରରେ ସଠିକ୍ ସହଯୋଗ ରହିବ ସେ ନେଇ ଅଧିକ ଗୁରୁତ୍ବ ଦେଇଛି । ଗତ ନିର୍ବାଚନରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ତାହର ପୁନରାବୃତ୍ତି ହେବ ବୋଲି ଦଳୀୟ ନେତା କହିଛନ୍ତି । ଭୋଟର ପୁଣି ଥରେ ବିଜେଡିକୁ କ୍ଷମତାକୁ ଆଣିବେ ବୋଲି ବିଜେଡି ପ୍ରାର୍ଥୀ ମୋହନ ସେଠୀ ଆଶାବ୍ୟକ୍ତ କରିଛନ୍ତି । ଗତ ନିର୍ବାଚନରେ କୋରାପୁଟ ମ୍ୟୁନିସିପାଲଟିରେ ବିଜେଡି ଓ କଂଗ୍ରେସ ସମାନ ଆସନରେ ବିଜୟୀ ହୋଇଥିଲେ । ଜଣେ ମାତ୍ର ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ କୋରାପୁଟ ପୌର ପରିଷଦର ଶେଷ ଅଢେଇ ବର୍ଷ କଂଗ୍ରେସର ଭଗବାନ ବାହିନିପତି ପୌରାଧ୍ୟକ୍ଷ ହୋଇଥିଲେ । ସେହିପରି କୋଟପାଡ ଏନ୍ଏସିରେ ମଧ୍ୟ ସମାନ ପରିସ୍ଥିତି ହେବାରୁ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ଉପାଧ୍ୟକ୍ଷ ପଦବୀ ହାତେଇଥିଲା କଂଗ୍ରେସ । ଉଭୟ ସ୍ଥାନରେ କଂଗ୍ରେସ କିପରି ସମ୍ପୂର୍ଣ୍ଣ ବହୁମତ ଆଣିବ ଏବଂ କୋରାପୁଟ ଓ ଜୟପୁରରେ ନିଜ ପ୍ରାର୍ଥୀଙ୍କୁ ଜିତାଇବ ସେନେଇ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ବିଶେଷ କରି ସରକାରଙ୍କ ପ୍ରତି ବିମୁୁଖ ଓ ଯୁବ ଭୋଟରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବେଶ୍ ଉତ୍ସାହିତ ରହିଛି କଂଗ୍ରେସ । ଏଥର ସମସ୍ତ ପୌରାଞ୍ଚଳ ଦଖଲ କରିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.