ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରବୁଦ୍ଧ ଗୁରୁ ତଥା ମହିମା ଧର୍ମର ସଂସ୍ଥାପକ ମହିମା ଗୋସାଇଁଙ୍କ ଦ୍ଵାରା ପ୍ରବର୍ତ୍ତିତ ହୋଇଛି ବିଶ୍ବ ଶାନ୍ତି ଯଜ୍ଞ । ଏହି କ୍ରମରେ ପ୍ରତିବର୍ଷ ପରି ଏଥର ମଧ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ସ୍ଥିତ ଶିଦ୍ଧ ରତ୍ନ କୁଟିର ଠାରେ ଆୟୋଜିତ ହୋଇଛି ବ୍ରହ୍ମ ଯଜ୍ଞ । ଟୋଲବ୍ରହ୍ମଣୀ ଗ୍ରାମର ବୈଦ୍ୟରାଜ ପବିତ୍ର ଶବର ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ହୋଇଥିବା ଏହି ବ୍ରହ୍ମ ଯଜ୍ଞରେ ପଶ୍ଚିମାଞ୍ଚଳର ଅନେକ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ଭକ୍ତବୃନ୍ଦ ଯୋଗ ଦେଇଥିଲେ ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ଯଜ୍ଞାରମ୍ଭ ପୂର୍ବରୁ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଟୋଲବ୍ରାହ୍ମଣୀ ଓ ଚିଆଁପଦର ଗ୍ରାମର ମହିଳା ଓ ଭକ୍ତମାନେ ସାମିଲ ହୋଇଥିଲେ । ଯଜ୍ଞ ବେଦିରେ କଳସ ସ୍ଥାପନା ପରେ ବଳ୍କଳଧାରୀ ସାଧୁ ମାନଙ୍କ ଦ୍ୱାରା ଅଖଣ୍ଡ ଦୀପ ପ୍ରଜ୍ୱଳନ ଓ ଯଜ୍ଞ ଆହୂତି ଅର୍ପଣ କରାଯାଇଥିଲା । ପ୍ରହରୀମଣ୍ଡପରେ ମହିମା ନାମ ସଂକୀର୍ତ୍ତନ୍ୟ ଅନୁଷ୍ଠିତ ହୋଇଥିଲା । ଯଜ୍ଞର ପ୍ରଥମ ଦିବସରେ ସାରା ରାତି ହୋମ ଯଜ୍ଞ ଓ ଆହୂତି ପ୍ରଦାନର କାର୍ଯ୍ୟକ୍ରମ ଚାଲିଥିଲା । ଦ୍ୱିତୀୟ ଦିବସର ପ୍ରାତଃ ୪ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରସାଦ, ସପ୍ତାମୃତ ଓ ବାଳଭୋଗ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ପରିଚାଳନା ନିମନ୍ତେ ପଶ୍ଚିମାଞ୍ଚଳ ମହିମା ସମାଜର ଅଧ୍ୟକ୍ଷ ଅବଧୁତ ଭଗବାନ ବାବା, ଅବଧୁତ କପିଳେନ୍ଦ୍ର ବାବା, ଅବଧୂତ ଆନନ୍ଦ ଚନ୍ଦ୍ର ବାବା, ଅବଧୂତ ମଦନ ବାବା, ଅବଧୂତ କିଶୋର ବାବା, ପରବାଙ୍ଗି ଆଶ୍ରମର ମଠାଧିସ ସାଧୁ ପ୍ରଭାକର ଦାସ, ସୁରେଶ ବାବା ପ୍ରମୂଖଙ୍କ ସହ ଅନେକ ସାଧୁସନ୍ଥ ଯଜ୍ଞ ପରିଚାଳନା ଦାୟୀତ୍ୱ ସଂପାଦନ କରିଥିଲେ । ପ୍ରତ୍ୟେକ ଦିନ ମହିମା ଧର୍ମାବଲମ୍ବୀ ବାବାମାନଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା । ଶିଦ୍ଧ ରତ୍ନ କୁଟିର ପାଇଁ ଭୁମିଦାତା ଭକ୍ତ ପବିତ୍ର କୁମାର ଶବର, ଭକ୍ତା ପଦ୍ମା, ଭକ୍ତା ପୁଷ୍ପା, ଭକ୍ତ ଶ୍ରୀକର ପ୍ରମୁଖଙ୍କୁ ସାଧୁସନ୍ଥ ମାନେ ଯଜ୍ଞ ବେଦୀରେ ଆଶିର୍ବଚନ ପ୍ରଦାନ କରିଥିଲେ । ଟୋଲବ୍ରାହ୍ମଣୀର ନରେନ୍ଦ୍ର କୁମାର ଶବର, ଲିଙ୍ଗରାଜ ଶବର ଓ ଗ୍ରାମର ଅନେକ ଲୋକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ହୋମ ଯଜ୍ଞ ପରେ ପ୍ରତ୍ୟହ ଦିବା ୧ ଟା ଓ ସନ୍ଧ୍ୟା ପୂର୍ବରୁ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହେଉଥିଲା ।