କବିତା: ବଏଠା

✍🏾ତପନ କୁମାର ସାହୁ

ଅଜସ୍ର ଆଲୁଅ ଭିତରେ
ଖୋଜାଲୋଡ଼ା ଲୁହ
ଦେଖା ଅଦେଖା ଘଡ଼ିସନ୍ଧି ମୁହୂର୍ତ୍ତେ ।।

ଜହ୍ନଆଉ ଷ୍ଟ୍ରିଟ ଲାଇଟର ଖଣ୍ଡଯୁଦ୍ଧେ
ମୁଣ୍ଡ ନୁଆଇଁ ଦେଖିବାରେ ବ୍ୟସ୍ତ
ତାରାମାନଙ୍କ ଆକାଶେ
ବଏଠାର ନିଷ୍କ୍ରିୟ ରୂପ ।।

ଅନ୍ଧାର ଏବେ ଅନ୍ଧାର ଭିତରେ
ନିଜସ୍ୱ ପରିଚୟ ସନ୍ଧାନେ
କ୍ଲାନ୍ତ ଶରୀରର ଅକ୍ଲାନ୍ତ ଇଛାକୁ ନେଇ !
ଇଛାସବୁ ହିଂସ୍ର
କଲାରଙ୍ଗି ଓଢଣୀ ଭିତରେ
ଆଭାଯୁକ୍ତ ଆକାଶ ଆଉ ତାରାଙ୍କ ମେଳରୁ
ଦିଶୁଥିବା ସେହି ରକ୍ତିମ ଚେହେରା କୁ
ଆଉଟିକେ ଉଜ୍ୱଳ କରିଦେବା ପାଇଁ ।।

ବଏଠା ଏବେ ବସି ସାରିଛି
ଘିଅର ପ୍ରୟୋଜନ ନାହିଁ
ଆଖିରୁ ପଡୁଥିବା ଦୁଇବୁନ୍ଦା !
ତୁମ ହସହସ ମୁହଁରୁ ନିଃସୃତ ଦାରୁରେ
ଏବେ ଜଳିଉଠିବ
ତେବେ କହିଦିଅ ଟିକେ ହସିଦିଅ !

ଯନ୍ତ୍ରଣା କଥା କହୁଛ ଯେ
ଜହ୍ନର ବିକଶିତ ଚେହେରାର
ଆରପାଖେ ଫିଙ୍ଗି ଦେଇଛି
ତାର ଆଉ ବୋଡ଼ ମେନ ସୁଇଚ
ସବୁ ଏବେ ଅଫ
ଛଅଇଞ୍ଚର ନାଟ ମଣ୍ଡପେ ଅନେକ ଯୁଦ୍ଧ,
ବିକଶିତ ଜୀବନ
ପ୍ରାକୃତିକ ମୂଲ୍ୟବୋଧର ବାହାରେ
ନୂଆ ସୃଷ୍ଟି, ଇତିହାସ ଲେଖାହେବା ନିଶ୍ଚିତ ।।

ମୁଣ୍ଡ ଉଠେଇ ଦେଖଥରେ
ଜହ୍ନକୁ ବୁଝିବାକୁ ଚେଷ୍ଟାକର
ଛଅଇଞ୍ଚ ଭିତରୁ ବାହାରକୁ ଆସି
ରେଡ଼ିଏସନ ଜୀବନୁ
ପୁଣିଥରେ ମୁହଁ ଫେରେଇ ନିଅ
ସେ ବାସ୍ତବ ଦୁନିଆଁର କୋଳକୁ
ଯେଉଁଠି ସବୁଯାକ ନିଜର ନିଜର
ହଁ ନିଜର ହେବାର ମାହେନ୍ଦ୍ରବେଳା
ରକ୍ତ ଆଉ ଶୂନଡିଗ୍ରୀ ଖରାର ତାପ
ଅସମ୍ପୂର୍ଣ୍ଣ ଆକାଶ କୋଳରେ
ନିଜକୁ ଘୋଡେଇ ଦିଅ ।।

ଥରେ ଚେଷ୍ଟାକର
ପାରିବ ନିଶ୍ଚିତ
ଏକାକାର ହେଇ
ଆକାଶ, ଜହ୍ନ, ଆଉ ଅନ୍ଧାର
ବଏଠାର ଟିକି ଆଲୁଅରେ ।।

ସହ ସମ୍ପାଦକ “ଅ”-ପତ୍ରିକା
କଳାହାଣ୍ଡି
ମୋ: ୭୩୨୮୦୦୧୫୭୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.