ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ : ଆରଣ୍ୟକକାଣ୍ଡ ମଞ୍ଚସ୍ଥ

କଳାହାଣ୍ଡି/ ହେମନ୍ତ ସାହୁ (ଆପ୍ର): ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ତିନି ଦିନ ବ୍ୟାପୀ ହେବାକୁ ଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ଦ୍ୱିତୀୟ ରଜନୀ (ମଙ୍ଗଳବାର) ମଂଚସ୍ଥ ହେଇଥିବା ଆରଣ୍ୟକ କାଣ୍ଡର ଆରମ୍ଭରୁ ଶେଷଯାଏଁ ହଜାର ହଜାର ଦର୍ଶକଙ୍କ ସମାଗମ ହେଇଥିବାବେଳେ ସମସ୍ତ ଅଭିନେତାଙ୍କ ଚମତ୍କାର ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ବେଶ ମନୋରଂଜନର ଖୋରାକ ଯୋଗାଇଥିଲା । ଅଧ୍ୟାପକ ତଥା ଗବେଷକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ଓ ନିର୍ଦ୍ଦେଶନାରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ମଂଚରେ ତ୍ରିବିକ୍ରମ ପାଣିଗ୍ରାହୀ (ରାମଲୀଳାର ଜଣେ ସୁପ୍ରସିଦ୍ଧ କଳାକାର, ଟକାରୁମାଲ) ଅନୁଷ୍ଠାନ ତରଫରୁ ସଭାପତି ଜୀବେଶ କୁମାର ପଣ୍ଡାଙ୍କ ଦ୍ୱାରା ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଆରଣ୍ୟକ କାଣ୍ଡରେ ରାମ, ଲକ୍ଷ୍ମଣ, ସୀତାଙ୍କ ପଂଚବଟୀ ଗମନ, ସୂର୍ପଣଖାର ନାଶା ଛେଦନ, ଖର, ଦୂଷଣ, ତ୍ରିସୁରା ବଧ, ମାରୀଚ ବଧ, ସୀତାଚୋରୀ, ରାବଣଦ୍ୱାରା ଜଟାୟୁ ନିହତ ଆଦି ଦୃଶ୍ୟ ଅଭିନୀତ ହେଇଥିଲା । ମୁଖ୍ୟ ଭୁମିକାରେ ଶ୍ରୀରାମ – ଜଗମୋହନ ସାହୁ, ଲକ୍ଷ୍ମଣ – ବିକାଶ ଆଚାର୍ଯ୍ୟ, ସୀତା – ରମେଶ ସାହୁ, ସୂର୍ପଣଖା – ଦିଲ୍ଲୀପ ତ୍ରୀପାଠୀ, ଖର – ଲକ୍ଷ୍ମୀକାନ୍ତ ସିଂ, ଅନୁସୂୟା – କେଶବ ଦଣ୍ଡିଆ, ରାବଣ – ସାଇପ୍ରସାଦ ମହାରଣା(ବଡ଼) ଓ ପାର୍ଶ୍ୱ ଭୂମିକାରେ ପ୍ରଦୀପ ସିଂ, ଅକ୍ରୁର ମହାରଣା, ଦେବେନ୍ଦ୍ର ମହାନ୍ତି, ବନମାଳୀ ଦଣ୍ଡସେନା, ଶାଶ୍ୱତ ଦଣ୍ଡିଆ, ରିଷଭ ମହାଖୁଡ଼, ପ୍ରମୁଖ ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମହେଶ୍ୱର ସାହୁ (ଭୁବନେଶ୍ୱର) । କଣ୍ଠ ଦାନ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ, ଶିଶୁ କଣ୍ଠଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର ମହାନ୍ତି, ସ୍ମୃତିରେଖା ପାଢୀ, ରୁବି ବେହେରା, ତ୍ରିଲୋଚନ ସୁନା ଓ ବାଦ୍ୟଯନ୍ତ୍ରରେ, ଯୁଧିଷ୍ଟିର ବେହେରା, ଭରତ ରାଉତ, ପ୍ରଶାନ୍ତ, ଦିଲ୍ଲୀପ, ନୀର, କାହ୍ନୁ ଦାୟିତ୍ୱ ନିର୍ବାହ କରୁଥିବାବେଳେ ରୂପସଜ୍ଜା କରୁଛନ୍ତି ଦୀନବନ୍ଧୁ ମହାରଣା, ସମ୍ବିତ ମହାରଣା ଓ ମଞ୍ଚ ସାଜସଜ୍ମା ବୀରେନ୍ଦ୍ର ମହାରଣା, କାଲୁ ମହାରଣା, ତ୍ରିଲୋଚନ ମହାରଣା, ଭ୍ରମରବର, ସୁବାସ ନାୟକ, ତ୍ରିନାଥ ରାଉତ, ଶରତ ମହାରଣା ପ୍ରମୁଖ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.