ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ଗ୍ରାମରେ ଥିବା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନକୁ ଚଳିତ ବର୍ଷ ପାଇଁ “ପ୍ରକୃତି ମିତ୍ର” ପୁରସ୍କାର ସହିତ ୨୦୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇ ଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼ଃ. ମୋନା ଶର୍ମା (ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସଚିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା), ସମ୍ମାନିତ ଅତିଥି ଭାବରେ ଶ୍ରୀ ରାଜୀବ କୁମାର (ନିର୍ଦ୍ଦେଶକ ସେଣ୍ଟର ଫର ଏନଭରମେଣ୍ଟାଲ ଷ୍ଟଡିଜ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା), ଶ୍ରୀ ସୁଶାନ୍ତ ନନ୍ଦ (ନିର୍ଦ୍ଦେଶକ ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ସ୍ୱତନ୍ତ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା) ପ୍ରମୁଖ ଉପସ୍ଥିତ ରହି ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ କରିଥିଲେ। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଂପାଦକ ଅବିନାଶ ମୁଣ୍ଡ ଓ ବରିଷ୍ଠ ସଦସ୍ୟ ପ୍ରିୟରଞ୍ଜନ ମୁଣ୍ଡ ପୁରସ୍କାର ଗ୍ରହଣ କରିଥିଲେ। ଏଠାରେ ପ୍ରକାଶ ଥାଉକି ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସହିତ କଳାହାଣ୍ଡିର ଆଉ ତିନି ଗୋଟି ଅନୁଷ୍ଠାନକୁ ମଧ୍ଯ ଉକ୍ତ ପୁରସ୍କାର ଦିଆଯାଇଛି।