ନର୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗକୁ ଏକ ଉପଯୁକ୍ତ ମାଧ୍ୟମ ବୋଲି ବିଶ୍ୱ ଅନୁଭବ କରି ସାରିଥିବା ବେଳେ ଭାରତ ଯୋଗର ଗୁରୁ ସାଜିଛି ବିଶ୍ୱରେ । ଏହି କ୍ରମରେ ଜୁନ୍ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ରୁପେ ଗ୍ରହଣ କରାଯାଉଛି । ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶିଶୁମନ୍ଦିର ଆନୁକୂଲ୍ୟରେ ୮ ତମ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁସ୍କୁଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପଶ୍ଚିମ ପ୍ରାନ୍ତର ସହ ବୌଦ୍ଧିକ ପ୍ରମୁଖ ଅରୁଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ସରସ୍ୱତୀ, ଭାରତ ମାତାଙ୍କ ଠାରେ ଦୀପ ପ୍ରଜ୍ୱଳନ, ପୂଜନ ଓ ସାମୁହିକ ପ୍ରାର୍ଥନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ସରସ୍ୱତୀ ଶିଶୁ ମନ୍ଦିରର ସହ-ସମ୍ପାଦକ ଅଜୟ କୁମାର ନାଏକ, ନର୍ଲା ସାଂସଦ ପ୍ରତିନିଧି ପ୍ରଦୀପ କୁମାର ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀଳକଣ୍ଠ ବେହେରା, ଲିଙ୍ଗରାଜ ମିଶ୍ର, ଅଭୟ ନାଏକ ପ୍ରମୁଖ ଯୋଗଦାନ କରି ଯୋଗ ଶିକ୍ଷା ଗ୍ରହଣ କରିଥିଲେ । ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ଜୟଦେବ ପୋଢ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଏଥିରେ ସକ୍ରୀୟ ଅଂଶ ଗ୍ରହଣ କରି ଯୋଗ ଶିକ୍ଷା ଗ୍ରହଣ କରିବା ସହିତ ଯୋଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିର ନର୍ଲାର କୁନୀ କୁନୀ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଶିବିରରେ ଯୋଗଦାନ କରି ପ୍ରାଣାୟାମ ଓ ଯୋଗ ଶିକ୍ଷା ନେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାଏକ ନିରୋଗୀ ଶରୀର ପାଇଁ ଯୋଗର ଆବଶ୍ୟକତା ଉପରେ ମାର୍ଗଦର୍ଶନ ଦେଇଥିଲେ । ସେହିଭଳି ରୁପ୍ରାରୋଡ ଗାୟତ୍ରୀ ଶକ୍ତିପୀଠ, ମାଣ୍ଡେଲ ବିଦ୍ୟାଳୟ ପ୍ରଭୃତି ଅନୁଷ୍ଠାନ ଗୁଡିକରେ ମଧ୍ୟ ଯୋଗଶିବିରର ଆୟୋଜନ କରାଯାଇଥିଲା । ମାଣ୍ଡେଲର ବିଶିଷ୍ଟ ଯୋଗଗୁରୁ ଟିକେରାମ ନାଏକ, ନିର୍ମଳ ବାରିକ, ଶିକ୍ଷକ ଶରତ ଭୋଇ ପ୍ରମୁଖ ଯୋଗଦାନ କରି ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.