ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପଦବୀ, କାମ ସମାନ ହେଲେ ବି ଦରମା ସମାନ ହୋଇପାରିବନି । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି । କେବଳ ପଦବୀ ଓ କାମରେ ସମାନତାକୁ ଆଧାର କରି ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ସମାନ ଦରମା ଦାବି କରିପାରିବେ ନାହିଁ । ସବୁ କ୍ଷେତ୍ରରେ ସମାନତା ରହିଥିଲେ ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ପେ-ସ୍କେଲ ଦରମା ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମଧ୍ୟପ୍ରଦେଶ ସରକାର ବନାମ ସୀମା ଶର୍ମା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା ରାୟ ଦେଇଛନ୍ତି । ଦରମା ନିର୍ଦ୍ଧାରଣ ଏକ ନୀତିଗତ ବିଷୟ । କୋର୍ଟ କେବଳ ବିଶେଷ କ୍ଷେତ୍ରରେ ହସ୍ତକ୍ଷେପ କରିପାରିବେ । ଯେତେବେଳେ ଗୋଟିଏ ସଂସ୍ଥାରେ ସମାନ ଯୋଗ୍ୟତା, ସମାନ ପଦବି, ସମାନ କାମରେ ନିଯୁକ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଦରମା ପ୍ରଦାନରେ ପାତର ଅନ୍ତର କରାଯିବ ତାକୁ ବିଶେଷ କ୍ଷେତ୍ର ଭାବେ ବିବେଚନା କରି କୋର୍ଟ ସେଥିରେ ହସ୍ତକ୍ଷେପ କରିପାରିବେ ବୋଲି କହିଛନ୍ତି । ସୀମା ଶର୍ମା ମଧ୍ୟପ୍ରଦେଶର ଉଜୈନିସ୍ଥିତ ଏକ ସରକାରୀ ଆୟୁର୍ବେଦିକ କଲେଜର ଲାଇବ୍ରେରିଆନ ଭାବେ କାମ କରୁଛନ୍ତି । ସେ ୮ ବର୍ଷ କାମ କରିବା ପରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା କଲେଜର ଲାଇବ୍ରେରିଆନମାନେ ପାଉଥିବା ୟୁଜିସି ସ୍କେଲରେ ଦରମା ଭଳି ତାଙ୍କୁ ସେହି ସ୍କେଲରେ ଦରମା ଦେବାକୁ ଦାବି କରିଥିଲେ । ମାତ୍ର ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ । ପରେ ହାଇକୋର୍ଟରେ ମାମଲା ପହଞ୍ଚିଥିଲା ଏବଂ ସୀମାଙ୍କର ବିଜୟ ହୋଇଥିଲା । ପରେ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କେବଳ ପଦବୀ ଓ କାମରେ ସମାନତାକୁ ଆଧାର କରି ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ସମାନ ଦରମା ଦାବି କରିପାରିବେ ନାହିଁ । ସବୁ କ୍ଷେତ୍ରରେ ସମାନତା ରହିଥିଲେ ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ପେ-ସ୍କେଲ ଦରମା ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।