ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନର୍ଲା ପକ୍ଷରୁ ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବରେ ଗୁରୁଦକ୍ଷିଣା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡ କାର୍ଯ୍ୟବାହ ତଥା ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ବୁଧବାର ସଂଧ୍ୟାରେ ଏହି ଉତ୍ସବ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଗୈରିକ ଧ୍ୱଜ ସ୍ଥାପନ କରାଯାଇଥିଲା। ଧ୍ୱଜ ସ୍ଥାପନା ପରେ ସ୍ୱୟଂ ସେବକ ମାନେ ଧ୍ୱଜ ପ୍ରଣାମ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଖଣ୍ଡ କାର୍ଯ୍ୟବାହ ଶ୍ରୀ ନାଏକ ଗୁରୁ ପୂଜନ ପରମ୍ପରା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଭିମୁଖ୍ୟ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ। ଏହାପରେ ଉପସ୍ଥିତ ସ୍ୱୟଂ ସେବକ ମାନେ ସାଧ୍ୟ ମତେ ଶକ୍ତି ଅନୁଯାୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗୁରୁ ଗୈରୀକ ଧ୍ୱଜ ନିକଟରେ ଦକ୍ଷିଣା ଅର୍ପଣ କରିଥିଲେ। ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ପରେ ସଂଘର ସାମୁହିକ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ସ୍ୱୟଂ ସେବକ ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ସାଂସଦ ପ୍ରତିନିଧି ତଥା ବରିଷ୍ଠ ସ୍ୱୟଂ ସେବକ ପ୍ରଦୀପ କୁମାର ନାଏକ, ଅଜୟ କୁମାର ନାଏକ, ସଞ୍ଜୟ କୁମାର ନାଏକ, ଜୟଦେବ ପୋଢ, ନେପାଲ ନାଏକ ପ୍ରମୂଖଙ୍କ ସହ ଅନେକ ସ୍ବୟଂ ସେବକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।