ପଲିଥିନ ତଳେ ଆଶ୍ରୟ ନେଇଛନ୍ତି ପରିବାର, ଆବାସ ଗୃହ ଯୋଗାଇ ଦେବାକୁ ଦାବି

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ନିରୀହ ଗରିବ ତଥା ନିରାଶ୍ରୟ ବସହିନ ପରିବାରଙ୍କୁ ଆବାସ ଗୃହ ଯୋଗାଇ ଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡୁଥିବା ଦେଖାଯାଇଛି। ଫଳରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ କରି ନ ପାରି ନିରାଶ୍ରୟ ହୋଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ବର୍ଷା ଋତୁରେ ନିରୀହ ଗରିବ ଶ୍ରେଣୀର ଲୋକେ ଚାଲ ଛପର ଅବା ପଲିଥିନ ଦେଇ ରହୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭଟା ଠାରେ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ନଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ପରିବାର ଏକ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି ପରିବାର ବର୍ଗ। ବାସହୀନଙ୍କ ପାଇଁ ଆବାସ ଯୋଜନା ଉଦ୍ଧିଷ୍ଟ ଥିବା ବେଳେ ଲୋକଙ୍କ ଏଭଳି ଦୁରବସ୍ଥାକୁ ନେଇ ଆବାସ ଯୋଜନା କାହାପାଇଁ ବୋଲି ମତ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁସାରେ ଚଚରଭଟା ଗ୍ରାମ ର ୮୦ ବର୍ଷୀୟ ବିଧବା ଛୋଟୀ ବେୱା ତାଙ୍କ ପୁଅ ବଲମତ ଠେଲା (୩୫) ବୋହୂ ବନିତା ଠେଲା (୩୦) ଓ ନାତି ଆୟୁଷ (୯) ନାତୁଣୀ ରମଣୀ (୫) ସନ୍ଧ୍ୟା (୨) ଙ୍କୁ ନେଇ ବସବାସ କରନ୍ତି। କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏଣେତେଣେ କରି ଚଳଛପର ଘର ଖଣ୍ଡିକ ନିର୍ମାଣ କରିପାରୁ ନାହଁନ୍ତି। ବଡ଼ ଭାଇର ଘର ପଛ ପଟେ ଏକ ପଲିଥିନ ତଳେ ପରିବାର ଆଶ୍ରୟ ନେଇଛନ୍ତି। ଏହି ପଲିଥିନ ତଳେ ତିନି ନାବାଳକ ପୁଅ ଝିଅର ଭବିଷ୍ୟତ ବନ୍ଧା ପଡ଼ିଛି। ହେଲେ ଉକ୍ତ ପଲିଥିନ କେଉଁ ମୁହୂର୍ତ୍ତରେ ଭୁଶୁଡି ପଡିବ ତାହା ଅନିଶ୍ଚିତ। ବର୍ତ୍ତମାନ ପରିବାର ନିରାଶ୍ରୟ ହୋଇ ପଲିଥିନ ତଳେ ଆଶ୍ରୟ ନେଇ ଜୀବନ ବିତାଉଛନ୍ତି। ଆଜିକୁ ତିନି ବର୍ଷ ହେଲା ଏହି ପଲିଥିନ ତଳେ ଆଶ୍ରୟ ନେଇଛନ୍ତି। ସରକାର ଘର ଖଣ୍ଡିକ ଦେଲେ ନିର୍ମାଣ କରି ରହିବୁ ବୋଲି ଆଶା ବାନ୍ଧିଥିବା ପ୍ରକାଶ କରିଛନ୍ତି। ହେଲେ ଉକ୍ତ ପରିବାର ପାଇଁ ଆବାସ ଘର ସାତ ସପନ ପାଲଟିଛି। ଏହି ବିପଦ ପୁର୍ଣ୍ଣ ପଲିଥିନ କୁଡ଼ିଆରେ ଆଶ୍ରୟ ନେଇଥିବା ବେଳେ କୌଣସି ରାଜନେତା ଅବା ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନାହିଁ। ଚଳିତ ବର୍ଷା ଋତୁରେ ଲଗାଣ ବର୍ଷା ଲାଗିଥିବା ବେଲେ ବିଭିନ୍ନ ବିଷାକ୍ତ ସାପ ତଥା କୀଟପତଙ୍ଗର ମଧ୍ୟ ଭୟ ରହିଛି। ଏହି ପରିବାରକୁ ଆଜି ପର୍ୟ୍ଯନ୍ତ ଘର ଖଣ୍ତିକ ମିଲିନଥିବା ବେଲେ ବୃଦ୍ଧା ବିଧବା ମାତାଙ୍କୁ କେବଳ ବିଧବା ଭତା ୫ଶହ ଟଙ୍କା ମିଲୁଛି। ଜମିବାଡ଼ି ନାମକୁ ମାତ୍ର ଥିବା ବେଳେ ସମ୍ପତ୍ତି କହିଲେ ରାସନ କାର୍ଡ ଖଣ୍ଡିକ। ଉକ୍ତ ରାସନ କାର୍ଡରେ ମିଳୁଥିବା ୧୫ କିଗ୍ରା ଚାଉଳରେ ପରିବାର ଚଳନ୍ତି। କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରିବା ସହ ପ୍ରତି ବର୍ଷ ଦାଦନ ମଧ୍ୟ ଯାଇଥାନ୍ତି । ସ୍ଥାନୀୟ ପଞ୍ଚାୟତ, ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବା ସହ ସମ୍ପୃକ୍ତ ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.