ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଜି ସମଗ୍ର ଦେଶରେ ୭୫ ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଉପଲକ୍ଷେ “ଆଜାଦି କା ଅମୃତ ମହୋତ୍ସବ” ତଥା ୭୬ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ହେଉଥିବା ବେଳେ କୋକସରାରେ ମଧ୍ୟ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ କୋକସରା ଅଂଚଳର ପରିଚିତ ଦିବଂଗତ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରେମଲତା ଦାସ ଏବଂ ଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସଙ୍କ ସ୍ମୃତିରେ “ଅକ୍ଷୟ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ପ୍ରେମଲତା ଚାରିଟେବଲ ଟ୍ରଷ୍ଟ” ଦ୍ୱାରା ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରାକାର ଅଧିନ୧୦ମ, +୨, +୩ ସ୍ତରରେ ତଥା କେନ୍ଦ୍ର ସରକାର ଅଧିନ ୧୦ମ ଓ ଦ୍ୱାଦଶ ଶ୍ରେଣୀରେ କୋକସରା ବ୍ଲକରେ ସର୍ବୋଚ୍ଚ ମାର୍କ ରଖିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ “ରୁରାଲ ଟେଲେଣ୍ଟ ଆୱାର୍ଡ-୨୦୨୨”ରେ ସମ୍ମାନୀତ କରାଯାଇଥିଲା । ଉକ୍ତ ପୁରସ୍କାର ପାଇଁ ରାଜ୍ୟ ସରାକାରଙ୍କ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ସ୍ତର ପାଇଁ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ମାଝୀଗୁଡାର ଶ୍ରୀମାନ ବିମଳ କୃଷ୍ଣ ପଣ୍ଡା ଏବଂ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ, ଡଙ୍ଗରୀଗୁଡାର କୁମାରୀ ମଧୁସ୍ମିତା ବାଗଙ୍କୁ ସର୍ବୋଚ୍ଚ ମାର୍କ ପାଇଥିବା ନିମନ୍ତେ ଯୁଗ୍ମରୂପେ ପୁରସ୍କୃତ କରାଯାଇଥିଲା । ସେହିପରି +୨ ବିଭାଗ ପାଇଁ, ପଂଚାୟତ ସମିତି ହାଇଅର ସେକେଣ୍ଡାରୀ ସ୍କୁଲ, କୋକସରାର କୁମାରୀ ଅର୍ଘ୍ୟରୂପା ରାଉତ ଏବଂ +୩ ସ୍ତରପାଇଁ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, କୋକସରାର ରାଜନିତୀ ବିଜ୍ଞାନ ସମ୍ମାନରେ ସର୍ବୋଚ୍ଚ ନମ୍ବର ପାଇଥିବା ଶ୍ରୀମାନ ଉମାଶଙ୍କର ପାଣିଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବିଭାଗ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ବଙ୍ଗୋମୁଣ୍ଡାର ସାନ୍ୟା ସଞ୍ଜିବନୀ ଠାକୁର ଓ ଦ୍ୱାଦଶ ଶ୍ରେଣୀ ବିଭାଗ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ବଙ୍ଗୋମୁଣ୍ଡାର ଜଳନ୍ଧର ସାହୁ ପ୍ରଭୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନ ତରଫରୁ କୃତି ଛାତ୍ରଛାତ୍ରୀମାନଙ୍କ ପରବର୍ତ୍ତି ଶିକ୍ଷାଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ସଭାର ମୁଖ୍ୟ ଅତିଥି, କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀତା ଅଗ୍ରାୱାଲ, ଗୋଷ୍ଠି ଉନ୍ନୟନ ଅଧିକାରୀ, କୋକସରା ଶ୍ରୀମତୀ ମନିଷା ଦାସ, ପୁରସ୍କାର ପ୍ରଦାନ କରିଥିଲେ ।