ପରଲୋକରେ ବିଶିଷ୍ଟ ସମାଜସେବୀ ମଗନଲାଲ ଜୈନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ବିଶିଷ୍ଟ ସମାଜସେବୀ ମଗନଲାଲ ଜୈନଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥତା ଅନୁଭବ କରିବାରୁ ବଲାଙ୍ଗୀର ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ରାୟପୁରକୁ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପାର୍ଥବ ଶରୀର ରିଷିଡା ସ୍ଥିତ ବାସ ଭବନରେ ପହଞ୍ଚିବା ପରେ ଅନେକ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ, ପରେ ଶବଦାହ କରାଯାଇଥିଲା । ବଡପୁଅ ବିଶିଷ୍ଟ ବ୍ୟବସାୟୀ ସୁରେଶ ଚନ୍ଦ୍ର ଜୈନ ମୁଖାଗ୍ନୀ ଦେଇଥିଲେ । ଶବାଧାରରେ ତାଙ୍କ ତିନିପୁଅ ସୁରେଶ, ମିନୁ, ସନ୍ତୋଷ, ଭାଇ ରାଜକିଶୋର, ଏକମାତ୍ର ଝିଅ ସମେତ ଭାଇ, ଭଉଣୀ, ନାତି, ନାତୁଣୀ, ପୂତୁରା, ଝିଆରୀ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ନର୍ଲା ବିଧାୟକ ଭୂପିନ୍ଦ୍ର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଗଭୀର ଶୋକପ୍ରକାଶ କରିଛନ୍ତି । ସେହିପରି କର୍ଲାମୁଣ୍ଡା ପ୍ରେସକ୍ଲବ, ରିଷିଡା ଗ୍ରାମଉନ୍ନୟନ କମିଟି ସମେତ ରିଷିଡା ସ୍ଥିତ ସମସ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଶୋକପ୍ରକାଶ କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଛି । ପ୍ରକାଶଥାଉକି ସ୍ୱର୍ଗତଃ ଜୈନ ରିଷିଡା ବାପୁଜୀ ହାଇସ୍କୁଲର ପ୍ରତିଷ୍ଠାତା ସଂପାଦକ, ରିଷିଡା ମଧ୍ୟଇଂରାଜୀ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଜେ.କେ. କଲେଜ, ଜେ.ଡି. କଲେଜର ପ୍ରତିଷ୍ଠାତା ସଭ୍ୟ ଥିଲେ । ସେ ଦିର୍ଘବର୍ଷ ଧରି ରିଷିଡା ଦୁର୍ଗାପୂଜାର ମଧ୍ୟ ସଭାପତି ଥିଲେ । ସେ ବାପୁଜୀ ହାଇସ୍କୁଲ ପ୍ରତିଷ୍ଠା ପାଇଁ ୧୭ ଏକର ଜମି ଓ ରିଷିଡା ଡାକ୍ତରଖାନା ପାଇଁ ଦେଢଏକର ଜମିଦାନ କରିଥିଲେ । ପ୍ରକୃତରେ ସେ ବ୍ୟକ୍ତି ନୁହେଁ ଏକ ଅନୁଷ୍ଠାନ ଥିଲେ ବୋଲି ସାଧାରଣରେ ଆଲୋଚନା ହେଉଛି । ତାଙ୍କ ବିୟୋଗରେ ରିଷିଡା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.