ଡା. ଦିଲ୍ଲୀପ ବେହେରାଙ୍କୁ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗଳ୍ପ ସଂକଳନ ‘ଲଣ୍ଠନ’ ପାଇଁ ଯୁବ କଥାକାର ଡା. ଦିଲ୍ଲୀପ କୁମାର ବେହେରା ପାଇବେ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର। ଓଡ଼ିଆ ଭାଷା ପାଇଁ ସେ ମନୋନୀତ ହୋଇଥିବା ସୂଚନା ମିଳିଛି। ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପର କଳେବର ଦେଇ ଭାବପୂର୍ଣ୍ଣ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ଉପସ୍ଥାପନ କରିବାରେ ସେ ସିଦ୍ଧହସ୍ତ। କେବଳ ଗଳ୍ପ ନୁହେଁ, କବିତା ଓ ନାଟକ ରଚନାରେ ମଧ୍ୟ ତାଙ୍କର ଦକ୍ଷତା ରହିଛି। ତାଙ୍କର ପ୍ରତ୍ୟେକ ଲେଖାରେ ପାଠକ ଭେଟି ପାରନ୍ତି ସାଂପ୍ରତିକ ସମାଜର ଘଟଣା ଓ ଚରିତ୍ରମାନଙ୍କୁ।

‘ଲଣ୍ଠନ’ ବ୍ୟତୀତ ତାଙ୍କ ପୁସ୍ତକମାନଙ୍କ ମଧ୍ୟରେ ରହିଛି ‘ପାନ୍ଥଶାଳା’, ‘ଲେଭେଲ୍ କ୍ରସିଂ’, ‘ଆସ୍ ଟ୍ରେ’, ‘ଶବ ସତ୍କାର ଓ ଅନ୍ୟାନ୍ୟ ନାଟକ’ ଇତ୍ୟାଦି। ପୂର୍ବରୁ ସେ କଥା ନବପ୍ରତିଭା ପୁରସ୍କାର , ମୟୁରଭଞ୍ଜ ଯୁବ ପୁରସ୍କାର, କିଶୋରୀ ଚରଣ ଗଳ୍ପ ପୁରସ୍କାର, ଜଷ୍ଟିସ ହରିହର ମହାପାତ୍ର ନାଟ୍ୟସାହିତ୍ୟ ପୁରସ୍କାର, ଫକୀରମୋହନ ବିଶ୍ୱବିଦ୍ୟାଳୟ ଯୁବ ଗାଳ୍ପିକ ପୁରସ୍କାର ସମେତ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ମୟୁରଭଞ୍ଜରେ ଜନ୍ମିତ ଦିଲ୍ଲୀପ ସଂପ୍ରତି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟରତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.