ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ବର୍ଷା କନ୍ଧମାଳ ଜିଲ୍ଲାରେ ତାଣ୍ଡବ ରଚିଛି। ବର୍ଷା ଯୋଗୁଁ ଚାଷବାସ ନଷ୍ଟ ହେବାସହ ଅନେକ ଝାଟିମାଟି ଘର ଭୁଶୁଡ଼ି ପଡିଛି। ଏହାରି ଭିତରେ ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁଁ ବୁଧବାର ରାତିରେ ଫୁଲବାଣୀ ସହରରେ ଥିବା ଡାକପାଲା ପୋଲ ଉପରେ ତିନି ଫୁଟ ପାଣି ବହୁଥିଲା। ଅସାବଧାନତା ଯୋଗୁଁ ଜଣେ ବାଇକ୍ ଆରୋହୀ ଭାସିଯାଇଥିଲେ। ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ। କିନ୍ତୁ ପାଣିର ସୁଅ ଅଧିକ ଥିବାରୁ ତାଙ୍କର କିଛି ପତ୍ତା ମିଳିପାରି ନ ଥିଲା। ଗୁରୁବାର ସକାଳୁ ପୁଣି ଅଗ୍ନିଶମ କର୍ମଚାରୀ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ବହୁତ ଚେଷ୍ଟା ଆଉ ଉଦ୍ୟମ ପରେ ତୁଡିପାଜୁ ପଂଚାୟତ କଲାମ୍ବୁର ଗ୍ରାମ ନିକଟସ୍ଥ ନଦୀ କୂଳ କଥାପୋଲ ଠାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ବ୍ୟକ୍ତି ଜଣକ ହେଲେ ତାପସ ଘଟାଲ। ସେ ଡାକପାଲା ଘଟାଲ ସାହିର ନିରଂଜନ ଘଟାଲଙ୍କ ପୁଅ ବୋଲି ଜଣାପଡିଛି। ଏହି ଅଭାବନୀୟ ଘଟଣାରେ ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।