ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ସୁବର୍ଣ୍ଣ ଜୟନ୍ତୀ ଓ ଦଶମହାବିଦ୍ୟା ପୂଜନ ପାଇଁ ବ୍ୟାପକ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଗକୁ ଆସୁଛି ପାର୍ବଣ ଋତୁ। ଧରାବତରଣ କରିବେ ଦେବୀ ଦଶଭୁଜା। ଦେବୀ ଦୁର୍ଗାଙ୍କ ଶାରଦୀୟ ପୂଜା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଅନ୍ୟତମ ଶାକ୍ତ ଭୂମୀ ଲଡୁଗାଁରେ ଏଥର ଦୁର୍ଗା ପୂଜାର ସୁବର୍ଣ୍ଣ ଜୟନ୍ତୀ ଓ ଦଶମହାବିଦ୍ୟା ପୂଜନ ଅନୁଷ୍ଠିତ ହେବ। ସେଥିପାଇଁ ଲଡୁଗାଁ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦୁର୍ଗାପୂଜାର ଆଦ୍ୟ ବିଧି ମାଟି ପୂଜନ ଉତ୍ସବ ଶାସ୍ତ୍ରୀୟ ମତରେ ଅନୁଷ୍ଠିତ ହୋଇଯାଇଛି। ପୂଜା କର୍ତ୍ତା କମଳ କୁମାର ଅଗ୍ରୱାଲ, ରାଜୀବ କୁମାର ଅଗ୍ରୱାଲ, ଲକ୍ଷ୍ମଣ ଶବରଙ୍କ ତତ୍ବାବଧାନରେ ଲଡୁଗାଁ ଦୁର୍ଗା ମଣ୍ଡପ ଠାରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମର ମାଝୀପଡ଼ା ଠାରେ ପହଞ୍ଚିଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଏକ ବେଳ ଗଛ ମୂଳରୁ ମାଟି ଉଠାଣ କରି ପୂଜା ବିଧି ଅନୁସାରେ ମଣ୍ଡପରେ ସ୍ଥାପନ କରାଯାଇଥିଲା। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, ଉପସଭାପତି କିଶୋର ଚନ୍ଦ୍ର ଦାସ, ଅଶୋକ ଅଗ୍ରୱାଲ, ସମ୍ପାଦକ କହ୍ନେଇ ଚରଣ ଦାସ, ସହ ସମ୍ପାଦକ ପବନ ଅଗ୍ରୱାଲ, ପଙ୍କଜ ଚୌଧୁରୀ, ସାଂସ୍କୃତିକ ସମ୍ପାଦକ ମୋହନ ଚରଣ ଦାସ, ରବିନ୍ଦ୍ର ନାରାୟଣ ଦାସ, ବୀରେନ୍ଦ୍ର ଦାସ, କୋଷାଧକ୍ଷ ରାଜେନ୍ଦ୍ର ନାରାୟଣ ଦାସ, ଶ୍ରୀମନ୍ତ ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପୂଜକ କିଶୋରଚନ୍ଦ୍ର ଠାକୁର, ଭବାନୀଶଙ୍କର ପାଢ଼ୀ, ଗୋପାଳଚନ୍ଦ୍ର ଠାକୁର ପୂଜାବିଧି ସମାପନ କରିଥିଲେ। ଅନୁଷ୍ଠାନର ସକ୍ରିୟ ସଦସ୍ୟ ବାଳମୁକୁନ୍ଦ ଅଗ୍ରୱାଲ, ଅରୁଣ ଗୋୟଲ, ସଞ୍ଜୟ ସିଂଘଲ, ଶ୍ରୀକାନ୍ତ ଶର୍ମା, ମନୋଜ ଅଗ୍ରୱାଲ, ଅକୃରବିହାରୀ ଯୋଶୀ, ମୁକ୍ତେଶ୍ଵର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ହେତୁ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଦେବୀ ଦୁର୍ଗାଙ୍କ ପୂଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ ଧ୍ୟାନ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.