ନର୍ଲାରୋଡ ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ

ଧୁମଧାମରେ ପାଳନ କରାଯିବ ନବରାତ୍ରୀ ଦୁର୍ଗାପୂଜା -ହମେଶ ଜୈନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ବହୁ ପ୍ରସିଦ୍ଧ ଶାରଦୀୟ ଦୁର୍ଗାପୂଜା ପାଇଁ ସ୍ଥାନୀୟ ଦୁର୍ଗା ମଣ୍ଡପ ପରିସରରେ ଗତବର୍ଷ ଦୁର୍ଗାପୂଜା କମିଟିର ସଭାପତି ହମେଶ କୁମାର ଜୈନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗତବର୍ଷ ନବରାତ୍ରୀ ପୂଜାରେ ଦେଖା ଦେଇଥିବା ଛୋଟ ମୋଟ ତୃଟି ଗୁଡିକ ଉପରେ ଆଲୋଚନା କରାଯିବା ସହ ଏହା ଉପରେ ସମୀକ୍ଷା କରାଯାଇ ଚଳିତ ବର୍ଷ ଏହାର ପୁନରାବୃତ୍ତି ଯେମିତି ନଘଟେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ଚଳିତ ବର୍ଷ ମଧ୍ୟ ନବରାତ୍ରୀ ପୂଜା ପାଳନ ସାଙ୍ଗକୁ ପ୍ରତ୍ୟହ ଧମାକେଦାର ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ଧରି ଆର୍କେଷ୍ଟ୍ରା ଭଳି ଭବ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଜୟା ଦଶମୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଥିଲା ।ଏହାପରେ ଚଳିତ ବର୍ଷର ପୂଜା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ସର୍ବସମ୍ମତି କ୍ରମେ ହମେଶ କୁମାର ଜୈନ, ଉପ ସଭାପତି ବିନାୟକ କୁମାର ମହନ୍ତ, ସମ୍ପାଦକ ଭାବରେ ବିମଲ କୁମାର କେଡିଆ, ସହ ସମ୍ପାଦକ ଭାବରେ ଅମର ରାଉତ ଓ ରାଜୀନ ସାହୁ, କୋଷାଧ୍ୟକ୍ଷ ଭାବରେ ବାବୁଲା ରାଉତ ଓ ରାଜା ପରିଡା ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ଜହରଲାଲ ବିଶ୍ୱାଳ, ଲିଙ୍ଗରାଜ ମିଶ୍ର, ତୀର୍ଥ ବୁଦ୍ଧିଆ, ବିଜୟ ବୁଦ୍ଧିଆ, ନିକୁଞ୍ଜ ଓଝା, ମନୋଜ ଅଗ୍ରୱାଲ, ଓମ ପ୍ରକାଶ ପୁଝାରୀ, ପିତାମ୍ବର କରୁଆ, ନୀଳକଣ୍ଠ ବେହେରା ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଭଣ୍ଡାର ଗୃହ ଦାଇତ୍ୱ ଦୀପକ ଜେଠୁଆ, ମଧୁସୂଦନ ରାଉତଙ୍କୁ ସର୍ବସମ୍ମତିକ୍ରମେ ଦାଇତ୍ୱ ଆର୍ପଣ କରାଯାଇଥିଲା । ପୂଜାକର୍ତ୍ତା ଭାବରେ ଜହରଲାଲ ବିଶ୍ବାଳ ଓ ତାଙ୍କ ଧର୍ମପତ୍ନୀ ତରୁଲତା ବିଶ୍ୱାଳ ରହିବେ ବୋଲି ନିଷ୍ପତି ନିଆ ଯାଇଥିଲା । ଏହା ସହ ଅନ୍ୟାନ୍ୟ ପାର୍ଶ୍ୱ କମିଟି ଗୁଡିକ ମଧ୍ୟ ଗଠନ କରାଯାଇ ଏବଠୁଁ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଆଗେଇ ନେବାପାଇଁ ସଭାପତି ଶ୍ରୀ ଜୈନ ଅନୁରୋଧ କରିଥିଲେ । ପ୍ରସ୍ତୁତି ବୈଠକରେ ନର୍ଲାରୋଡ଼ ରାଧାକୃଷ୍ଣ ୟଙ୍ଗ କ୍ଲବ ଓ ସର୍ଗିଗୁଡା ଜୟ ଦୁର୍ଗା ସ୍ପୋର୍ଟିଂ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ମୂର୍ତ୍ତି ନିର୍ମାଣ ପାଇଁ ଜନ୍ମାଷ୍ଟମୀ ଦିନ ଆବଶ୍ୟକ ୫ ଗୋଟି ସ୍ଥାନରୁ ମାଟି ଆସି ସାରିଥିବା କର୍ତ୍ତା ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ନୂଆଖାଇ ୧ ସେପ୍ଟେମ୍ବର ପରେ ଦୁର୍ଗା ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀ ଜୈନ ସୂଚନା ଦେଇଛନ୍ତି । ଏଥିରେ ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷର ପୂଜକ ମାନଙ୍କୁ ପୂଜା ନିମନ୍ତେ ନିମନ୍ତ୍ରଣ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଚଳିତ ବର୍ଷ ଶୃଙ୍ଖଳା ଦୃଷ୍ଟିରୁ ନର୍ଲା ପୋଲିସକୁ ଲିଖିତ ଭାବରେ ଜଣାଇବା ସହିତ ଅନୁଷ୍ଠାନର ସଦସ୍ୟ ଓ କର୍ମକର୍ତ୍ତା ମାନେ ସୁରକ୍ଷାର ସମ୍ପୂର୍ଣ୍ଣ ଦାଇତ୍ୱ ତୁଲାଇବେ ବୋଲି ନିଷ୍ପତି ନିଆଯାଇଥିବା ଶ୍ରୀ ଜୈନ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.