ପ୍ରଦୀପ୍ତ ନନ୍ଦଙ୍କ କାବ୍ୟଗ୍ରନ୍ଥ ‘ଠାକୁରାଣୀ’ ଉନ୍ମୋଚିତ

ଓଡ଼ିଆ ସାହିତ୍ୟର ଏକ ଅଭିନବ କାବ୍ୟ ‘ଠାକୁରାଣୀ’ -ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣକୁମାର ମହାନ୍ତି): ‘ଠାକୁରାଣୀ’ ଓଡ଼ିଆ ସାହିତ୍ୟର ଏକ ଅଭିନବ କାବ୍ୟ । କୌଣସି ନିର୍ଦ୍ଦିଷ୍ଟ କାହାଣୀ ବା ଘଟଣାପ୍ରବାହ ନ ଥାଇ କେବଳ ଅନୁଭବ ଓ କଳ୍ପନାକୁ ନେଇ ଦୁଇ ଶହ ପୃଷ୍ଠାର ଏକ ଦୀର୍ଘ କବିତା ରଚନା କରିବା ବାସ୍ତବିକ୍ ଏକ ବିସ୍ମୟ ଭଳି ମନେହୁଏ । ନବାଗତ କବି ପ୍ରଦୀପ୍ତ ନନ୍ଦ ଏଭଳି ଏକ ସୃଜନଶୀଳ ଚମତ୍କାରିତା ପାଠକ ସମାଜରେ ଆଦୃତ ହେବ ବୋଲି କଟକର ଶତାବ୍ଦୀ ଭବନ ଠାରେ ଅୟୋଜିତ ‘ଠାକୁରାଣୀ’ର ଉନ୍ମୋଚନ ଉତ୍ସବରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକ କହିଥିଲେ ଯେ, କବି ପ୍ରଦୀପ୍ତ ନନ୍ଦଙ୍କ ‘ଠାକୁରାଣୀ’ କାବ୍ୟ ଆମର ପ୍ରାଚୀନ ପରମ୍ପରା ଓ ସଂସ୍କୃତିର ପୃଷ୍ଠଭୂମି ଉପରେ ରଚିତ । ପୁରୁଷର ପ୍ରକୃତି ପ୍ରତି ସମର୍ପଣ ଭାବକୁ ଉପଜୀବ୍ୟ କରି ‘ଠାକୁରାଣୀ’ କାବ୍ୟ ରଚନା କରାଯାଇଛି । ଆମ ସମସ୍ତଙ୍କ ଘରେ ଘରେ ଗୋଟିଏ ଲେଖାଏଁ ଠାକୁରାଣୀ ଅଛନ୍ତି । ରକ୍ତମାଂସର ଏହି ଠାକୁରାଣୀ ଦିବ୍ୟ ଚେତନାର ପ୍ରତୀକ । ଆମର ପୁରୁଷ କୈନ୍ଦ୍ରିକ ସମାଜରେ ଆମେ ଅନେକ ସମୟରେ ନାରୀକୁ ଅବହେଳା କରିଥିଲେ ହେଁ ନାରୀ ଯେ ସମସ୍ତ ସୃଷ୍ଟିର ଊର୍ଦ୍ଧ୍ୱରେ, ଏହା କେହି ଭୁଲିଯିବା ଉଚିତ୍ ନୁହେଁ ।ରକ୍ତମାଂସର ସେହି ନାରୀ ସୃଷ୍ଟି, ସ୍ଥିତି, ବିଲୟର ଆଧାର । ଜନନୀ, ଜାୟା, ଭଗିନୀ ରୂପରେ ନାରୀ ପୁରୁଷକୁ ପ୍ରତିପାଳିତ କରି ଆସିଛି । ଯୁଗେ ଯୁଗେ ନାରୀଶକ୍ତିର ଆରାଧନା ରହିଆସିଛି । ଯୋଗୀ ଅରବିନ୍ଦ, ବିଶ୍ୱକବି ରବୀନ୍ଦ୍ରନାଥ ପ୍ରମୁଖଙ୍କ ରଚନାରେ ନାରୀ ମହିମାନ୍ୱିତ । ତେଣୁ ନାରୀର ଜୟଗାନ କରିବା ଆମର ଶ୍ରେୟ । ଆଜି ସମାଜର ସବୁସ୍ତରରେ ମହିଳା ସଶକ୍ତିକରଣର କଥା କୁହାଯାଉଥିବା ବେଳେ ‘ଠାକୁରାଣୀ’ କାବ୍ୟର ରଚନା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ।

Omkar Vasthu
Omkar Vasthu

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ କବି ତଥା ପ୍ରାବନ୍ଧିକ ଡକ୍ଟର ଶତୃଘ୍ନ ପାଣ୍ଡବ ‘ଠାକୁରାଣୀ’କୁ ଓଡ଼ିଆ କାବ୍ୟଧାରାରେ ଏକ ଉତ୍କୃଷ୍ଠ କାବ୍ୟ ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ନାରୀକୁ ନେଇ ଅନେକ କାବ୍ୟ ପୂର୍ବରୁ ରଚନା କରାଯାଇଛି । ଏହା ପୌରାଣିକ କଥାବସ୍ତୁ ବା କାଳ୍ପନିକ କାହାଣୀ ଉପରେ ଆଧାରିତ ହୋଇଛି । ମାତ୍ର ବିନା କାହାଣୀର ଅବତାରଣାରେ ବା ଘଟଣାବଳୀର ଗତିଶୀଳତାରେ ଶୂନ୍ୟରୁ ଏଭଳି ଏକ ଦୀର୍ଘ କାବ୍ୟ ରଚନା କରିବା ବିସ୍ମୟକର ମନେହୁଏ । ତେବେ ନବାଗତ କବି ପ୍ରଦୀପ୍ତ ନନ୍ଦ ନିଜ ସୃଜନଶୀଳତା ବଳରେ ଏଭଳି ଚମତ୍କାରିତା ଦେଖାଇ ଆମକୁ ଚମତ୍କୃତ କରିଛନ୍ତି । ସମ୍ମାନିତ ବକ୍ତା ଅଧ୍ୟାପିକା ଡକ୍ଟର ନୀଳିମା ପ୍ରିୟଦର୍ଶିନୀ କହିଥିଲେ ଯେ ପ୍ରଦୀପ୍ତ ନନ୍ଦ ଆକାଶବାଣୀ, ଦୂରଦର୍ଶନ ତଥା ଚଳଚ୍ଚିତ୍ର ଜଗତରେ ଜଣେ ସଫଳ ନାଟ୍ୟକାର ତଥା ଗୀତିକାର ଭାବେ ବେଶ୍ ପ୍ରତିଷ୍ଠିତ । ମାତ୍ର ସାହିତ୍ୟ ଜଗତରେ ‘ଠାକୁରାଣୀ’ ଭଳି ଏକ ଦୀର୍ଘ କାବ୍ୟ ରଚନା କରି ସେ ଜଣେ ସଫଳ କବିର ସ୍ୱୀକୃତି ଲାଭ କରିଛନ୍ତି । ‘ଠାକୁରାଣୀ’ ପୁସ୍ତକର ଲେଖକ କବି ପ୍ରଦୀପ୍ତ ନନ୍ଦ ଏହି କାବ୍ୟ ରଚନାର ପ୍ରେକ୍ଷାପଟ ଓ ଉଦ୍ଦେଶ୍ୟ ପ୍ରକାଶ କରି ଏକ ଆବେଗମୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ପ୍ରାରମ୍ଭରେ ‘ଠାକୁରାଣୀ’ ପୁସ୍ତକର ପ୍ରକାଶକ ତଥା ଶ୍ରଦ୍ଧା ପବ୍ଲିକେଶନ୍‌ର ମୁଖ୍ୟ କବି ସମରେନ୍ଦ୍ରନାଥ ମହାପାତ୍ର ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଆକାଶବାଣୀର ଅବସରପ୍ରାପ୍ତ ଘୋଷକ ବସନ୍ତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅନ୍ୟତମ ପ୍ରକାଶକ ତଥା ଲେଖକ ଅଜିତ୍ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ସତ୍ତ୍ୱେ ଏହି ଉତ୍ସବରେ ବହୁ ସାହିତ୍ୟ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.