ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟସ୍ଥ କାଶୀବାହାଲ ସ୍ଥିତ ହିରୋ ସୋ ରୁମ୍ – ଶ୍ରୀ ଗାୟତ୍ରୀ ମୋଟର୍ସ ପରିସରରେ ସଡ଼କ ସୁରକ୍ଷା ସମ୍ପର୍କିତ ରକ୍ଷକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଦୈନନ୍ଦିନ ରାସ୍ତାରେ ଯାନବାହନ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରିବା ସକାଶେ ନିକଟସ୍ଥ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବା ବ୍ଲାକସ୍ପଟ୍ ଚିହ୍ନିତ ସ୍ଥାନର ରାସ୍ତାକଡ ଦୋକାନର ମାଲିକ, କର୍ମଚାରୀ, ଡ୍ରାଇଭର ଏବଂ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ଧୀରଜ୍ କୁମାର ଚୋପଦାର, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଆଚାର୍ଯ୍ୟ ହୃଷିକେଶ ମିଶ୍ର ଓ ସ୍ଥାନୀୟ ପଂଚାୟତ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସରକାରଙ୍କ ଏହି ଅଭିନବ ପ୍ରୟାସର ସଫଳ ରୂପାୟନ ଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁହାର ଯଥେଷ୍ଟ ପରିମାଣରେ ହ୍ରାସ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ସର୍ବ ମଙ୍ଗଳା ମହାବିଦ୍ୟାଳୟ ଗୋଲାମୁଣ୍ଡାର ଶିକ୍ଷା ଅଧ୍ୟାପକ ତଥା ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଶାନ୍ତନୁ କୁମାର ପରିଡ଼ା ସ୍ଥାନୀୟ ଲୋକ ମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରିବା ସହ ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ଆହତ ବ୍ୟକ୍ତିଙ୍କୁ ଡ଼ାକ୍ତରଖାନା ପହଞ୍ଚାଇ ପାରିଲେ ଅମୁଲ୍ୟ ଜୀବନ ରକ୍ଷା ହୋଇ ପାରିବ ଓ ଏ ବିଷୟରେ ଜରୁରୀ କାଳୀନ ସହାୟତା ପାଇଁ ୧୧୨ ନମ୍ବରରେ ଫୋନ୍ କରିବାକୁ ପରାମର୍ଶ ଦେଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ୭୫ ଜଣ ସ୍ଥାନୀୟ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ମୋହନ ସୁବୁଦ୍ଧି, ରାକେଶ କୁମାର ପାତ୍ର ଓ ଗାୟତ୍ରୀ ମୋଟର୍ସ ମାଲିକ ଗୋପାଳ ଗୋୟଲ୍ ତଥା ରାଜ୍ୟ ପରିବହନ ବିଭାଗର ବୈଷୟିକ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାମ୍ବାଦିକ ଇଙ୍ଗିତ ପଣ୍ଡା, ଲକ୍ଷ ଜ୍ୟୋତି ଜାଲ୍, ବିଶ୍ୱ ରଞ୍ଜନ ପାତ୍ର, ଉମେଶ ଦୁରିଆ ଓ କାମେଶ ରଞ୍ଜନ ନାଗ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।