ଓଡ଼ିଆ ବାର୍ତ୍ତା/ ଗୋଲାମୁଣ୍ଡା (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଧାମନପୁର ଗ୍ରାମପଞ୍ଚାୟତ ବୋରଗୁମା ଗ୍ରାମ ନିକଟରେ ଆଜି ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ଜଣକ ବୋରଗୁମା ଗ୍ରାମର ଅନ୍ତର୍ଯ୍ୟାମୀ ବାରିକ ବୋଲି ଜଣାପଡିଛି । ଆଜି ଗାଁର କେତେକ ଛେଲି ଚରାଳି ଏହି ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳକୁ ଦଶପୁର ଫାଣ୍ଡି ଅଧିକାରୀ ବୀରବର ସେଠୀ ପହଞ୍ଚି ଶବ ଜବତ କରିବା ସହିତ ଥାନା କେସ ନମ୍ବର ୧୫/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ଜରିଆରେ ପ୍ରାରମ୍ଭିକ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏହି ଯୁବକ ଜଣକ ଗତ ରବିବାର ରାତ୍ର ସମୟଠାରୁ ନିଖୋଜ ଥିଲେ । ଯୁବକ ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।