ପୁରୀରେ ଉଦଘାଟିତ ହେବ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ର

ଓଡ଼ିଆ ବାର୍ତ୍ତା/ ପୁରୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ମହର୍ଷି ସନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଦ୍ୱାରା ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଖୁବ୍ ଶୀଘ୍ର ଶୁଭାରମ୍ଭ କରାଯିବ । ପୁରୀରେ ପ୍ରତିଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ଏହି ବେଦ ବିଦ୍ୟାଳୟ ଓ ଅଧ୍ୟୟନ କେନ୍ଦ୍ର କାର୍ଯ୍ୟକାରୀ ହେବ । ହିନ୍ଦୁ ଅଧ୍ୟୟନ କେନ୍ଦ୍ରରେ ହିନ୍ଦୁ ଧର୍ମଶାସ୍ତ୍ର, ପୁରାଣ ଇତିହାସ, ଦର୍ଶନ ଓ ଅଦ୍ୱୈତ ବେଦାନ୍ତ ପାଠ୍ୟକ୍ରମ ରହିଛି । ସେହିପରି ବେଦ ବିଦ୍ୟାଳୟରେ ଋଗବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ ପାଠ୍ୟକ୍ରମ ରହିଛି । ଯେକୌଣସି ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏହା ପଢିପାରିବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାନର ଉପାଧ୍ୟକ୍ଷ ପ୍ରଫେସର ପ୍ରଫୁଲ୍ଲ ମିଶ୍ର ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ଶ୍ରୀନିବାସ ବରଖେଡୀ ସୂଚନା ଦେଇଛନ୍ତି । ବେଦ ବିଦ୍ୟାଳୟ ଓ ଅଧ୍ୟୟନ କେନ୍ଦ୍ର ଉଦଘାଟନ ସହ ସଂସ୍କୃତ ସମ୍ବନ୍ଧୀୟ କେନ୍ଦ୍ରୀୟ ଯୋଜନାର ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ସଦାଶିବ ପରିସରରେ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ଟାଉନ ହଲ ପରିସରରେ ସଭା ଅନୁଷ୍ଠିତ ହେବ ।ବେଦ ବିଦ୍ୟାଳୟ ଓ ଅଧ୍ୟୟନ କେନ୍ଦ୍ରରେ ଆଧୁନିକ ସମାଜବିଜ୍ଞାନ ସହ ହିନ୍ଦୁଧର୍ମ ଶାସ୍ତ୍ର ସମ୍ପର୍କରେ ପଢାଯିବ । ଦୁଇବର୍ଷର ଏହି କୋର୍ସର ପଠନ ଉଜ୍ଜୟନୀର ରାଷ୍ଟ୍ରୀୟ ବେଦ ପ୍ରତିଷ୍ଠାନରେ ଆରମ୍ଭ ହୋଇଯାଇଛି । ସାରା ଭାରତବର୍ଷର ୫ଟି ସ୍ଥାନରେ ଏହି ପ୍ରତିଷ୍ଠାନ କରାଯିବ । ତେବେ ପ୍ରଥମେ ଶ୍ରୀଜଗନ୍ନାଥ ଧାମ ପୁରୀରେ ଏହାର ଶୁଭ ପଡ଼ିବ ବୋଲି ପ୍ରଫେସର ପ୍ରଫୁଲ ମିଶ୍ର କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.