ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହେଲା ନିକୁଞ୍ଜ ବିହାରୀ ଦାସଙ୍କ ଚିତ୍ରକଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଓଡ଼ିଶାର କଳା ଓ ସଂସ୍କୃତିର ମାଟି ବାଲେଶ୍ବରର ସୁପୁତ୍ର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସଙ୍କ ନିଆରା ଚିତ୍ର ‘ରି-ଥିଙ୍କିଂ’ ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଛି । ଏହି ପ୍ରଦଶନୀରେ ଅନିଶା ମିଚଣ୍ଡନି, ପ୍ରକାଶ ଘଡଗେ, ବରିଷ୍ଟ ଚିତ୍ର ଶିଳ୍ପୀ ମୁମ୍ବାଇ ମୁଖ୍ୟ ଅଥିତି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅସିତ୍ କୁମାର ପଟ୍ଟନୟକ ବିଶିଷ୍ଟ ଚିତ୍ରକର, ଦିଲ୍ଲୀ, ଆନନ୍ଦ ପଞ୍ଚାଲ ବରିଷ୍ଟ ଚିତ୍ର ଶିଳ୍ପୀ ମୁମ୍ବାଇ ଏବଂ ଓମ୍ ସ୍ବାମୀ ମୁମ୍ବାଇ, ବିଶିଷ୍ଟ ଚିତ୍ର ଶିଳ୍ପୀ ଉପସ୍ଥିତ ଥିଲେ । ଚିତ୍ରକର ଶ୍ରୀ ଦାସ ଇଶ୍ବରଙ୍କୁ ସେମାନଙ୍କ ଆତ୍ମା ​​ସହିତ ଏକତ୍ର କରି ଏପରି ସୁନ୍ଦର ଚିତ୍ର ତିଆରି କରିଛନ୍ତି, ଯାହା ସମସ୍ତଙ୍କୁ ଆନନ୍ଦିତ କରିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ନିକୁଞ୍ଜ ବିହାରୀ ଦାସ ତାଙ୍କର ସୁନ୍ଦର ଚିତ୍ରକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି । ୧୯୬୯ରେ ବାଲେଶ୍ଵରର ଇଞ୍ଚୁଡ଼ିଠାରେ ଜନ୍ମଗ୍ରହଣ କରଛନ୍ତି ନିକୁଞ୍ଜ ବିହାରୀ ଦାସ । ପିଲାଟି ଦିନରୁ ସେ ଚିତ୍ରକଳା ପ୍ରତି ଆଗ୍ରହୀ ହୋଇ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଖଲିକୋଟରେ ଥିବା ସରକାରୀ କଳା ମହାବିଦ୍ୟାଳୟରେ ଫାଇନ ଆର୍ଟରେ ସ୍ନାତକ କଲେ । ଏହାପରେ ବାରାଣସୀର ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠରେ ସ୍ନାତକୋତ୍ତର ହାସଲ କରି ନିଜ ଚିତ୍ରକର ଦୁନିଆକୁ ସୂତା ଓ ସୁକୁମାରତାର ସହ ନିର୍ମାଣ କରେଇଥିଲେ ।

୨୦୧୩ ମସିହାରେ ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରି କର୍ତ୍ତୃପକ୍ଷଙ୍କ ପାଖକୁ ତାଙ୍କର ଏକ ବିଷୟକୁ ନେଇକି ନିର୍ବାଚିତ ଚିତ୍ର ପଠାଇଥିଲେ । ତେବେ ଅକ୍ଟୋବର ୧୧ରୁ ୧୭ ପର୍ଯ୍ୟନ୍ତ ଜାହାଙ୍ଗୀର ଆର୍ଟ ଗ୍ୟାଲେରିରେ ଶ୍ରୀ ଦାସଙ୍କ ଓଏଲ୍‌ ଏବଂ ଆକ୍ରିଲିକ୍ ମିଶ୍ରିତ ରଙ୍ଗରେ ପ୍ରସ୍ତୁତ ବିଭିନ୍ନ ବିଷୟକୁ ନେଇ ୪୦ଟି ଚିତ୍ର ପ୍ରଦର୍ଶିତ ହେଉଛି । ଓଡ଼ିଶାର ଏକାମାତ୍ର ଚିତ୍ରଶିଳ୍ପୀ ଭାବେ ବାଲେଶ୍ଵରରୁ ନିକୁଞ୍ଜ ବିହାରୀ ଦାସଙ୍କ ଚିତ୍ର ସେଠାରେ ପ୍ରଦର୍ଶିତ ହୋଉଛି । ସେ ଏହି ୪୦ଟି ଚିତ୍ରରେ ଓଡ଼ିଶାର କଳା ଓ ସଂସ୍କୃତିକୁ ସେ ପ୍ରତିଫଳନ କରିଛନ୍ତି । ଯେଉଁଥିରେ ରାଧାକୃଷ୍ଣ ଓ ଜଗନ୍ନାଥଙ୍କୁ ଦର୍ଶାଯାଇଛି । ଅର୍ଥାତ ୱେଷ୍ଟର୍ଣ୍ଣ ଫିଗର୍‌ରେ ଭାରତୀୟ ଚିତ୍ରକଳାକୁ ନେଇ ରାଧା, ନବଗୁଞ୍ଜର, କ୍ରିଷ୍ଣା, ଅନନ୍ତ ଶୟନ ଆଦି ବିଷୟକୁ ନେଇକି ଚିତ୍ର ଫୁଟାଇଛନ୍ତି । ୮ ମାସ ମଧ୍ୟରେ ଶ୍ରୀ ଦାସ ୪୦ଟି ଚିତ୍ର ଆଙ୍କିବା ଶେଷ କରିଥିଲେ ।

ଏହି ଚିତ୍ରକଳା ପ୍ରଦର୍ଶିନୀରେ ବାଲେଶ୍ୱରରୁ ଅର୍ଯ୍ୟପ୍ରଜ୍ଞା ବାସବଦତ୍ତା, ଅର୍ଚ୍ଚନା ଜେନା, ଦୈତାରି ବେହେରା, ଶ୍ରୀକୃଷ୍ଣ ପାତ୍ର, ସତ୍ୟ ରଞ୍ଜନ ବିଷୋଇ , ମୌସୁମୀ ମହାପାତ୍ର, କିଶୋର ନାୟକ, ବିକ୍ରମ ଫାରକ୍, ଅମର ଜେନା ଏବଂ ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ଚିତ୍ରଶିଳ୍ପୀମାନେ ଯୋଗ ଦେଇ ଓଡ଼ିଶାର ପୁତ୍ର ଓଡ଼ିଶାର କଳାକୁ କିପରି ବିଶ୍ଵଦରବାର ପରିଚିତ କରିପାରିଛନ୍ତି ଏହା ବ୍ୟାଖ୍ୟା କରିବା ସହିତ ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କର ଏହି ଚିତ୍ରକଳା ପ୍ରଦର୍ଶନୀ ନୂତନ ଚିତ୍ରକରମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ଶ୍ରୀ ଦାସ ଆଶା ବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.