ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହେଲା ଆମପାଣି ବୁଢାରଜାଙ୍କ ପ୍ରସିଦ୍ଧ ଦଶରା ମହୋତ୍ସବ

ଲାଠିଯାତ୍ରା ଓ ଲାଖବିନ୍ଧା ସହ ରକ୍ତରଞ୍ଜିତ ହେଲା ବୁଢାରଜା ପୀଠ

ଓଡ଼ିଆ ବାର୍ତ୍ତା/ କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା ଆରଧ୍ୟ ଦେବତା ବୁଢାରଜା ଦେବଙ୍କ ବାର୍ଷିକ ଦଶରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୁଢାରଜା ପୀଠରେ ଶୁକ୍ଲ ଭୋଗ ଓ ପାର୍ଶ୍ୱ ଦେବା ଦେବୀଙ୍କୁ ରକ୍ତ ଭୋଗ ଦିଆଯାଇଥିଲା । ଏହି ପୀଠରେ ୨ଟି ଲିଙ୍ଗକୁ ପୁଜା କରାଯାଉଥିବା ଜଣାପଡିଛି । ଗୋଟିଏ ଲିଙ୍ଗରେ ଶୁକ୍ଲ ଭୋଗ ତଥା ନଡିଆ, ଧୂପ ଓ ମୁଆଁ ଦେଇ ପୁଜା କରାଯାଇଥିବାବେଳେ ଅନ୍ୟ ଲିଙ୍ଗରେ ରକ୍ତ ଭୋଗ ଦିଆଯାଇଥିଲା । ଦର୍ଶକ ଓ ଭକ୍ତ ମାନେ ମାନସିକ ପୁରଣ ପାଇଁ ଦେଇଥିବା ପଶୁ ପକ୍ଷୀକୁ ଜେନାବୁଢା ନିକଟରେ ବଳି ଦିଆଯାଇଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୂର୍ବ ବିଧି ଅନୁସାରେ ଅପରାହ୍ନ ସମୟରେ ଏକ ବିରାଟ ଲାଠି ଯାତ୍ରା ପୁଜକଙ୍କ ଘରୁ ବାହାରି ବୁଢାରଜା ମନ୍ଦିରରେ ପହଞ୍ଚିଥିଲା । ଲାଠି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ଦେବାଦେବୀଙ୍କ ଲାଠି, କାଳିଶି, ଭବାନୀପାଟଣାର ଆଦିଶକ୍ତି ନିଶାନ ଦଳ, କୋକସରା କାଲେଶ୍ବର ଘଣ୍ଟଦଳ, ସୁନାମାଲର ଖୋଟଲା ନାଚ ଭଲି ବିଭିନ୍ନ ଲୋକନୃତ୍ୟ ଦଳ ସାମିଲ ହୋଇଥିଲେ । ବିଶେଷ କରି ନାଗରା ଓ ଘଣ୍ଟ ବାଦ୍ୟର ତାଳେ ତାଳେ ଦେବାଦେବୀ ମାନେ ଝୁମି ଝୁମି ନାଚି ଯାଉଥିବା ଦୃଶ୍ୟ ଭକ୍ତ ଓ ଯାତ୍ରାରେ ଥିବା ଦର୍ଶକକୁ ଆକର୍ଷିତ କରିଥିଲା । ପୁଜକଙ୍କ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଜନ ଗହଳି ଦେଖିବାକୁ ମିଳିଥିଲା । ଏହି ସମୟରେ ଆମପାଣି ପୋଲିସ ଥାନା ନିକଟରେ ବାଲି ଗଜା ଅର୍ପଣ କରାଯାଇ ଥିଲା। ମନ୍ଦିରକୁ ପହଞ୍ଚିବା ପରେ ଲାଠିକୁ ସ୍ୱାଗତ କରି ପାଛୋଟି ନିଆଯାଇଥିଲା । ବୁଢାରଜା ପୀଠକୁ ପହଞ୍ଚିବା ପରେ ଉକ୍ତ ବାଲି ଗଜାକୁ ବୁଢାରଜାଙ୍କ ପୁଜା ସ୍ଥଳରେ ରଖାଯାଇ ପୁଜା କରାଯାଇଥିଲା । ପରେ ପୂଜକ ଫକୀର ପୁଝାରୀଙ୍କ ଦ୍ଵାରା ମନ୍ଦିରରେ ପୁଜାପାଠ ଆରମ୍ଭ ହୋଇଥିଲା । ମଣ୍ଡେଇ ଯାତ୍ରା ସମାପନ ହେବା ପରେ ପୁଣି ଥରେ ବୁଢାରଜା ପୀଠକୁ ଦେବାଦେବୀ ମାନେ ଚାଲି ଯାଇଥିଲେ । ପରେ ମନ୍ଦିର ନିକଟରେ ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶହ ଶହ ଯୁବକ ଏହି ଲାଖବିନ୍ଧା କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ଶିଖରରେ ରଖାଯାଇ ଥିବା ଜହ୍ନିକୁ ଲକ୍ଷ କରି ପଥର ଫୋପାଡି ଥିଲେ । ତା ପରେ ମନ୍ଦିର ପଶ୍ୱର୍ରେ ଥିବା ଜେନାବୁଢା ପୀଠରେ ବଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ହଜାର ହଜାର ଭକ୍ତ ଓ ଦର୍ଶକ ବୁଢାରଜାଙ୍କ ନିକଟରେ ପୂଜା କରିବା ସହ ଶହ ଶହ ସଂଖ୍ୟାରେ ପଶୁ, ପକ୍ଷୀଙ୍କ ରକ୍ତ ଭୋଗ ଅର୍ପଣ କରାଯାଇଥିଲା । ଭକ୍ତ ଓ ଦର୍ଶକ ନିଜର ମନସ୍କାମନା କାମନା କରି ବୁଢାରଜାଙ୍କ ପାଖରେ ଗୁହାରି କରିଥିଲେ । ରକ୍ତ ଭୋଗ ଅର୍ପଣ ଫଳରେ ବଳି ସ୍ଥଳ ରକ୍ତ ରଂଜିତ ହୋଇଥିବା ଦେଖିବାକୁ ମିଳିଥିଲା । ସଂଧ୍ୟାରେ ବୁଢାରଜା ସାଂସ୍କୃତିକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ଯୋଗଦେଇ ନିଜର ନୃତ୍ୟ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକୁ ବିମୋହିତ କରିଥିଲେ । ହଜାର ହଜାର ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ହଜେଇ ବାଦ୍ୟ, ଗୀତ ଓ ନୃତ୍ୟର ତାଳେ ତାଳେ ନାଚି ଉଠିଥିବା ଦେଖିବାକୁ ମିଳିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହେବା ପରେ ବିଳମ୍ବିତ ରାତିରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆମପାଣି ବୁଢାରଜା ଦଶରା ମହୋତ୍ସବରେ ବହୁଳ ଭାବେ ଜନ ଗହଳି ରହିଥିବାରୁ ଉପଖଣ୍ଡ ପୋଳିସ ଅଧିକାରୀ ଧିରଜ କୁମାର ଚୋପଦାର ଓ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ନେତୃତ୍ବରେ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଆମପାଣିର ସବୁ ସ୍ଥାନରେ ପୋଲିସ ଓ ଫୋର୍ସ ମୁତୟନ କରିଥିଲେ । ଚଳିତ ବର୍ଷ ଦଶରା ପୂଜା କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରୀ, ଉପସଭାପତି ତିଲୋତ୍ତମା ନାଏକ, ସଂପାଦକ ନକୁଲ ବାଣୁଆ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସଦସ୍ୟ ବିଘ୍ନେଶ୍ୱର ନାଏକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ତ୍ରିନାଥ ପ୍ରସନ୍ନ ରାୟ, ନିତ୍ୟାନନ୍ଦ ମାଝୀ, ରୁତୁରାଜ ମାଝୀ, ପ୍ରମୂଖ ଦାୟୀତ୍ୱ ତୁଳାଇଥିଲେ । ମହେଶ୍ୱର ପୁଝାରୀ, ନିତ୍ୟାନନ୍ଦ ମାଝୀ, କେଶବ ବେଣୁପାଣି, ତ୍ରିନାଥ ପ୍ରଶନ୍ନ ରାୟ, କେ. ଭାସ୍କର ରାଓ, ଦୟାନିଧି ନାଏକ, ଫକୀର ମାଝୀ, ମନୋରଞ୍ଜନ ବାଣୁଆ ପ୍ରମୂଖ କମିଟିର ଶତାଧିକ କର୍ମକର୍ତ୍ତା ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ଏହି ଦଶରା ପୂଜା ଓ ମହୋତ୍ସବ ଦେଖିବାକୁ ସୀମାନ୍ତ ଜିଲା, ରାଜ୍ୟ ତଥା ଆଖପାଖ ଅଂଚଳରୁ ୩୦ ହଜାରରୁ ଉର୍ଦ୍ଧ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.