ଲଙ୍କାରେ ହରି ଶବ୍ଦ

ନିକଟରେ ଅଭିନେତା କମଲ ହାସନ ହିନ୍ଦୁ ଧର୍ମକୁ ନେଇ ଦେଇଥିବା ଏକ ବୟାନକୁ ନେଇ ସାରା ଦେଶରେ ବିରୋଧାଭାସ ଦେଖାଦେଇଛି । କମଳ ହାସନଙ୍କ ବିବାଦୀୟ ବୟାନକୁ ଭାଜପା ନେତା ଏଚ୍‌. ରାଜା ଏବଂ ଅନେକ ହିନ୍ଦୁ ଧର୍ମାବଲମ୍ବୀ ବିରୋଧ କରି ପ୍ରତ୍ୟୁତ୍ତର ରଖିଛନ୍ତି । ଚୋଳବଂଶୀ ରାଜାମାନେ ହିନ୍ଦୁ ନ ଥିଲେ କି ସେମାନଙ୍କ ଶାସନ କାଳରେ ହିନ୍ଦୁ ନାମରେ କୌଣସି ଧର୍ମ ନ ଥିଲା ବୋଲି ଅଭିନେତା କମଲ ହାସନ କହିଛନ୍ତିି, ଯାହାକୁ ନେଇ ବିବାଦ ଉଠିଛି ।

ଭାରତରେ ଏପରି ବିବାଦୀୟ ବୟାନ ପ୍ରଥମ ନୁହେଁ । ହିନ୍ଦୁ ଧର୍ମକୁ ନେଇ ଅନେକ ଲୋକ ଅଶୋଭନୀୟ ବକ୍ତବ୍ୟ ପ୍ରଦାନ କରିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଥିରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ସର୍ବାଧିକ । ତେବେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଅନେକ ଲୋକ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥାନ୍ତି, ଯାହା ଅନ୍ୟ ଧର୍ମକୁ ନେଇ ପ୍ରାୟତଃ ଦେଖାଯାଏ ନାହିଁ । ହିନ୍ଦୁ ଦେବାଦେବୀଙ୍କୁ କୁତ୍ସିତ ଭାବେ ଅବତରଣ କରି ଏହି ଧର୍ମକୁ ନ୍ୟୁନ ଦେଖାଇବାର ଅନେକ ପ୍ରୟାସ ହୋଇଛି ମଧ୍ୟ । ତେବେ ସନାତନ ଧର୍ମଧାରାର ଉଦାର ଭାବ ଏହି ଧର୍ମକୁ ମହାନ ଭାବେ ଗଢ଼ି ତୋଳିଛି ।

ଭାରତରରେ ହିନ୍ଦୁ ଧର୍ମକୁ ନେଇ ଅନେକ ଲୋକ ଅପମାନ ସୂଚକ ମନ୍ୟବ୍ୟ ଦେଉଥିବାବେଳେ ମୁସଲିମ ବହୁଳ ଇଣ୍ଡୋନେସିଆରେ ହିନ୍ଦୁ ଧର୍ମକୁ ଦିଆ ଯାଉଥିବା ସମ୍ମାନକୁ ଦେଖିଲେ ଯେ କୌଣସି ହିନ୍ଦୁ ଆଶ୍ଚର୍ଯ୍ୟ ହୋଇଯିବେ । ଇଣ୍ଡୋନେସିଆରେ ହିନ୍ଦୁ ଧର୍ମର ସଂସ୍କୃତି ପରମ୍ପରା ଅନ୍ୟ ଯେକୌଣସି ହିନ୍ଦୁ ବହୁଳ ଦେଶ ଠାରୁ ଅଧିକ ପ୍ରତିଫଳିତ ହୋଇଥାଏ । ଇଣ୍ଡୋନେସିଆରେ ପ୍ରଚଳିତ ମୁଦ୍ରା ତା’ର ନିର୍ଦ୍ଧିଷ୍ଟ ଛାପ ପାଇଁ ଯେ କୌଣସି ହିନ୍ଦୁ ଲୋକ ପାଇଁ ବିସ୍ମୟ ସୃଷ୍ଟି କରିବାକୁ ଯଥେଷ୍ଟ । ହିନ୍ଦୁ ବହୁଳ ରାଷ୍ଟ୍ର ଭାରତର ମୁଦ୍ରାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ରହିଥାଏ । ଏପଟେ ଇଣ୍ଡୋନେସିଆ ଏକ ମୁସଲିମ ବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏ ଦେଶର ନୋଟ୍ ରେ ବିଘ୍ନରାଜ ଗଣେଶଙ୍କ ଚିତ୍ର ଦେଖିବାକୁ ମିଳେ ‌। କେବଳ ଗଣେଶଙ୍କ ଚିତ୍ର ନୁହଁ ଇଣ୍ଡୋନେସିଆର ନୋଟ୍ ମାନଙ୍କରେ ଦେବୀ ପାର୍ବତୀ, ଭଗବାନ ଶ୍ରୀରାମ ଓ ଅନେକ ହିନ୍ଦୁ ଦେବତାଙ୍କ ଚିତ୍ର ରହି ଆସିଛି ।

କେବଳ ଇଣ୍ଡୋନେସିଆର ନୋଟ୍ ରେ ନୁହଁ ଏ ଦେଶର ବିମାନ ସେବାରେ ମଧ୍ୟ ହିନ୍ଦୁତ୍ବର ଛାପ ରହିଛି । ଇଣ୍ଡୋନେସିଆର ଏୟାରଲାଇନ୍ସର ନାମ ‘ଗରୁଡ଼ ଏୟାରଲାଇନ୍ସ’ । ଏହି ଏୟାରଲାଇନ୍ସର ବିମାନ ଗୁଡ଼ିକରେ ବ୍ୟବହୃତ ଲୋଗୋରେ ଗରୁଡ଼ ଚିହ୍ନ ରହିଛି । ଏହାଛଡ଼ା ଘରୋଇ ବିମାନ ସେବାର ନାଁ ‘ଜଟାୟୁ ଏୟାରଲାଇନ୍ସ’ । ଶୁଣାଯାଏ ଏକଦା ଇଣ୍ଡୋନେସିଆର ରାଷ୍ଟ୍ରପତି ନିଜ ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ଏକ ପ୍ରତିମା ଉପହାର ଦେଇଥିଲେ । ଖାଲି ସେତିକି ନୁହେଁ ଇଣ୍ଡୋନେସିଆବାସୀ ଭାରତୀୟଙ୍କ ଅପେକ୍ଷା ରାମାୟଣକୁ ଅଧିକ ବୁଝନ୍ତି ଏବଂ ଦେଖନ୍ତି । ସେମାନଙ୍କ ଜାତୀୟ ଟିଭି ଚ୍ୟାନେଲ ରେ ସପ୍ତାହକୁ ଥରେ ରାମାୟଣ ଧାରାବାହିକ ପ୍ରସାରିତ ହୋଇଥାଏ । ଇଣ୍ଡୋନେସିଆର ବାଲିକପନରେ ଥିବା ଦେଶର ପ୍ରମୁଖ ସପିଙ୍ଗ ମଲ୍ ର ନାମ ‘ରାମାୟଣ ପ୍ଲାଜା’ । ଏହି ଦେଶର ଅଧିକାଂଶ ମାଲବାହୀ ଏବଂ ଯାତ୍ରୀବାହୀ ଜଳଜାହାଜର ନାଁ ମହାଭାରତର ଚରିତ୍ର ଦ୍ରୋପଦୀ, ନକୁଳ, ସହଦେବ, ଯୁଧିଷ୍ଠିର ଓ ଅର୍ଜୁନଙ୍କ ନାମରେ ନାମିତ ।

ଆଉ ଏକ ଆଶ୍ଚର୍ଯ୍ୟର କଥା, ଆମେ ବ୍ୟବହାର କରୁଥିବା ୭୦ ପ୍ରତିଶତ ରୁଦ୍ରାକ୍ଷ ହିମାଳୟ କିମ୍ବା ନେପାଳରୁ ନୁହଁ ବରଂ ଇଣ୍ଡୋନେସିଆର ବାଲିଦ୍ବିପରୁ ଆସିଥାଏ । ବାକି ୩୦ ପ୍ରତିଶତ ରୁଦ୍ରାକ୍ଷ ହିମାଳୟ ଓ ନେପାଳ ଅଞ୍ଚଳରୁ ସଂଗୃହିତ ହୋଇଥାଏ । ସବୁଠାରୁ ଭଲ ଚାହିଦାଥିବା ପଞ୍ଚମୁଖୀ ଓ ଅଷ୍ଟମୁଖି ରୁଦ୍ରାକ୍ଷ ବାଲି ଦ୍ବିପରୁ ହିଁ ଆସିଥାଏ । ମୁଖ୍ୟତଃ ହିନ୍ଦୁମାନେ ହିଁ ରୁଦ୍ରାକ୍ଷର ବ୍ୟବହାର ଜାଣନ୍ତି । କିନ୍ତୁ ଇଣ୍ଡୋନେସିଆ ଭଳି ଏକ ମୁସଲିମବହୁଳ ଦେଶରେ ଏତେ ପରିମାଣରେ ରୁଦ୍ରାକ୍ଷ ଉତ୍ପାଦନ ହେବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟ ।

✍🏼ସୁନୀଲ କୁମାର ଧଙ୍ଗଡାମାଝୀ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.