ନର୍ଲା ରାଜ ରାସ୍ତାରେ ଗୋରୁପଲ ଯୋଗୁଁ ଟ୍ରାଫିକ ସମସ୍ୟା ପ୍ରସଙ୍ଗ: ୨୩ ଜଣ ଗୋରୁ ବ୍ୟବସାୟୀ/ଜଗାଳିଙ୍କ ନାମରେ ଥାନାରେ କେସ୍ ଦାଏର୍!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରାଜ ରାସ୍ତାରେ ପ୍ରତି ସୋମବାର ଗୋରୁପଲଙ୍କ ଭିଡ ଯୋଗୁଁ ରାଜ ରାସ୍ତା ଜାମ୍ ରହିବା ସହିତ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ୍ ପ୍ରଶାସନ କୌଣସୀ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇ ଆସୁଥିଲା । ନର୍ଲାରେ ଗତ ଦୁଇ ମାସ ତଳେ ନୂତନ ଭାବରେ କାର୍ଯ୍ୟରେ ଯୋଗଦାନ କରିଥିବା ଥାନାଧିକାରୀ ଗଙ୍ଗାଧର ମେହେର ବିଗତ ସୋମବାର ବାଲିପଡା ଗୋରୁ ବଜାରକୁ ଯାଇ ଗୋରୁ ବ୍ୟବସାୟୀ ଓ ଗୋରୁ ବଜାର ଚଲେଇ ଆସୁଥିବା ଆରଏମସି କର୍ମଚାରୀ ମାନଙ୍କୁ ନର୍ଲା ମୁଖ୍ୟ ରାଜ ରାସ୍ତାରେ ଦିନବେଳା ଗୋରୁ ନନେବା ପାଇଁ ତାଗିଦ୍ କରିଥିଲେ । ଗୋରୁ ବ୍ୟବସାୟୀ ମାନେ ହାଟରୁ ଗୋରୁ କିଣିବା ପରେ ସେମାନଙ୍କୁ ନିକଟସ୍ଥ ପଡିଆରେ ଚରା ବୁଲା କରେଇ, ବିଶ୍ରାମ ଦେଇ ରାତି ୮ ଘଣ୍ଟା ସମୟରେ ରାସ୍ତା ଖାଲି ହେବା ପରେ ନେଇଯିବା ପାଇଁ କହିଥିଲେ । ଏଥିରେ ଗୋରୁ ବ୍ୟବସାୟୀ ଓ ଆରଏମସି କର୍ମଚାରୀ ମାନେ ସହମତି ପ୍ରକାଶ କରିଥିଲେ । ହେଲେ ଗତ ସୋମବାର (୧୭ ଅକ୍ଟୋବର) ନର୍ଲା ରାଜରାସ୍ତାରେ ଗୋରୁପଲ ଭିଡର ପୁରରାବୃତି ହେବା ଦେଖି ନର୍ଲା ଆଇଆଇସି ଶ୍ରୀ ମେହେର ଗୋରୁ ବୋଝେଇ ତିନିଗୋଟି ପିକଅପ ଭ୍ୟାନ ଓ ୨୩ ଜଣ ଗୋରୁ ବ୍ୟବସାୟୀ, ଗୋରୁ ଜଗାଳିଙ୍କୁ ଥାନାରେ ଅଟକ ରଖିବା ସହିତ ସେମାନଙ୍କ ନାମରେ କେସ୍ ଦାୟର କରିଥିବା ଜଣାପଡିଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତି ସୋମବାର ନର୍ଲା ମୁଖ୍ୟ ରାଜରାସ୍ତାରେ ଗୋରୁପଲ ଭିଡ ଯୋଗୁଁ ଟ୍ରାଫିକ ସମସ୍ୟାକୁ ନେଇ ସ୍କୁଲ କଲେଜ ଯାଉଥିବା ଚାତ୍ରଛାତ୍ରୀ, କର୍ମଜୀବୀ ମହିଳା ଓ ଗାଡି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର ବାଲିପଡାରେ ପ୍ରତି ସୋମବାର ଗୋରୁ ବଜାର ଅନୁଷ୍ଠିତ ହୋଇଥାଏ । ଜିଲ୍ଲା ନିୟନ୍ତ୍ରୀତ ବଜାର କମିଟି ତରଫରୁ ଏହି ଗୋରୁ ବଜାର ବାଲିପଡାରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ବରଗଡ, ବଲାଙ୍ଗୀର, ଫୁଲବାଣୀ ପ୍ରଭୃତି ସ୍ଥାନରୁ ଲୋକେ ଏହି ବଜାର କୁ ଗୋରୁ ନେଇ ଆସିଥାନ୍ତି ବିକିବା ପାଇଁ । ଏହାବାଦ୍ ରାୟଗଡା, ମୁନିଗୁଡା, ପାର୍ବତୀପୁରମ, ବରଗଡ ପ୍ରଭୃତି ସ୍ଥାନରୁ ଗୋରୁ ବ୍ୟବସାୟୀ ମାନେ ଆସି ଏହି ବଜାରରୁ ଗୋରୁ କିଣିକି ଲୋକ ଲଗେଇ ନେଇଯାଇଥାନ୍ତି ନିଜ ଗନ୍ତବ୍ୟ ସ୍ଥଳକୁ ।

ବାଲିପଡା ଓ ନର୍ଲା ମଧ୍ୟରେ ୧୦ କି.ମି. ବ୍ୟବଧାନ ରହିଥିବା ବେଳେ ଗୋରୁ ବ୍ୟବସାୟୀ ମାନେ ଏହି ୧୦ କି.ମି ମ.ରାମପୁର- ଭାବନୀପାଟଣା ରାଜ୍ୟ ରାଜପଥରେ ହଜାର ହଜାର ସଂଖ୍ୟାରେ ରାଜରାସ୍ତା ଜାମ କରି ଗୋରୁପଲ ନେଇ ଆସୁଥିବା ବେଳେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହେବାସହ ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ମାନ ଘଟୁଥିବା ମଧ୍ୟ ନଜୀର ରହିଛି । ସକାଲ ୯ ଘଣ୍ଟା ରୁ ଅପରାହ୍ନ ୩ ଟା ଯାଏଁ ନର୍ଲା ରାଜରାସ୍ତାରେ ଏଭଳି ଗାଈ,ଗୋରୁପଲଙ୍କ ଭିଡ ଦେଖିବାକୁ ମିଳିଥାଏ ପ୍ରତି ସୋମବାର ଦିନ । ଗୋଲୁପଲ ନେଇ ବ୍ୟବସାୟୀ ମାନେ ମୁନିଗୁଡାରୁ ରାୟଗଡାକୁ ଯାଇଥାନ୍ତି ।

ପ୍ରତି ସୋମବାର ଦିନ ନର୍ଲା ରାଜ ରାସ୍ତାରେ ଏପରି ଗୋଲୁପଲଙ୍କ ଭିଡ ଯୋଗୁଁ ଟ୍ରାଫିକ ସମସ୍ୟା ସାଙ୍ଗକୁ ଦୁର୍ଘଟଣା ମାନ ଘଟୁଥିବାରୁ ଗୋରୁ ପଲଙ୍କୁ ନର୍ଲା ମୁଖ୍ୟ ରାସ୍ତାରେ ନନେଇ ବାଇପାସ ଦେଇ ଗୋରୁପଲ ନେଇବାପାଇଁ ସାଧାରଣରେ ଦାବୀ ହୋଇ ଆସୁଛି ।‌ ଏହା ଆଜିକାର ସମସ୍ୟା ନୁହଁ । ଦୀର୍ଘଦିନ ଧରି ପ୍ରତି ସୋମବାର ସକାଳ ୯ ଘଣ୍ଟାରୁ ଦିନ ୨ ଟା ଯାଏଁ ଦୀର୍ଘ ୫ ଘଣ୍ଟା ଧରି ଗୋରୁପଲ ଯୋଗୁଁ ନର୍ଲା ରାଜରାସ୍ତା ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାର ଦେଖି ଗତ ଦୁଇମାସ ତଳେ ନର୍ଲା ଗୋ-ସୁରକ୍ଷା ସମିତି ତରଫରୁ ନର୍ଲା ଡିଏସ୍ପି ସମ୍ବିତ ମାଝୀଙ୍କୁ ଦାବୀ ପତ୍ର ଦିଆଯାଇଥିବା ବେଳେ ଡିଏସ୍ପି କହିଥିଲେ ଏହି ଗୋରୁ ବଜାରର ଅଧ୍ୟକ୍ଷ ରହିଛନ୍ତି ଉପଜିଲ୍ଲାପାଳ । ଏହି ଟ୍ରାଫିକ ସମସ୍ୟା ବିଷୟରେ ସେ ଯାହା ସମାଧାନ କରି ପାରିବେ ବୋଲି କହିଥିଲେ ।

ହେଲେ ଏବେ ଦୁଇଗୋଟି ଦୁର୍ଘଟଣା ଘଟି ନେଡ଼ିଗୁଡ଼ କହୁଣିକୁ ବୋହିଯିବା ଭଳି ପରିସ୍ଥିତି ସୃଷ୍ଟି ହେବାରୁ ନର୍ଲା ପୋଲିସ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏତେଲା ଦାଏର ହୋଇଛି । ଆଇନ ଶୃଙ୍ଖଳାକୁ ନମାନି ପୁଣି ଯଦି ଗୋରୁ ବ୍ୟବସାୟୀ ମାନେ ନର୍ଲା ରାଜ ରାସ୍ତା ଜାମ କରି ଗୋରୁପଲ ନିଅନ୍ତି ତାହେଲେ ଏମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନର୍ଲା ଆଇଆଇସି ଶ୍ରୀ ମେହେର ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.