ରାୟଗଡାରେ ବିଶ୍ୱ ମିତବ୍ୟୟୀତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମିତବ୍ୟୟୀତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଅର୍ଥନୈତିକ ବିକାଶରେ ସ୍ୱଳ୍ପ ସଂଚୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜନସାଧାରଣ ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନାରେ ସେମାନଙ୍କର କଷ୍ଟଲବ୍ଧ ସମ୍ବଳକୁ ବିନିଯୋଗ କରି ଦେଶର ପ୍ରଗତିରେ ସହାୟତା ହେବା ସଙ୍ଗେ ସଙ୍ଗେ ଅଣସ୍ୱୀକୃତିପ୍ରାପ୍ତ ତଥା ଚିଟଫଣ୍ଡ ସଂସ୍ଥା ପ୍ରତି ସାବଧାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତ ସଂଚୟ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାୟଗଡା ଜିଲ୍ଳା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଅଧିକାରୀ ଧ୍ରୁବ କୁମାର ନାୟକ ଦିବସର ମହତ୍ୱ ଏବଂ ତାତ୍ପର୍ଯ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ସଚେତନତା ରଥଟି ଜିଲ୍ଳାର କୋଲନରା, କଲ୍ୟାଣସିଂହପୁର, ରାମନାଗୁଡା ଓ ରାୟଗଡା ବ୍ଳକର ବିଭିନ୍ନ ଅଂଚଳଗୁଡିକ ପରିକ୍ରମା କରିବା ପୂର୍ବକ ମିତବ୍ୟୟୀତାର ଆବଶ୍ୟକତା, ଅନାବଶ୍ୟକ ବ୍ୟୟର କୁପ୍ରଭାବ ତଥା ଚିଟ୍‌ଫଣ୍ଡ କମ୍ପାନୀ ଠାରୁ ଦୂରେଇ ରହିବା ନିମନ୍ତେ ଜନସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ନାୟକ କହିଥିଲେ । ଏହି ସଚେତନା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଡାକ ଡିଭିଜନର ଅଧୀକ୍ଷକ ଭବାନୀ ପ୍ରସାଦ ପାଢୀ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକ, ସହାୟକ ଜିଲ୍ଳାପାଳ ପୁଷ୍ପାଂଜଳୀ ବେହେରା, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ରାୟଗଡା ଉପଖଣ୍ଡ ଡାକ ନିରୀକ୍ଷକ ଏଲ.କେ.ସାଣ୍ଡ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଉପଖଣ୍ଡ ସ୍ୱଳ୍ପ ସଂଚୟ ଅଧିକାରୀ ବିଥଲ୍ ନିଳୋତ୍ପଳ ଷଡଙ୍ଗୀଙ୍କ ସମେତ ସାମ୍ବାଦିକ ବନ୍ଧୁ ଏବଂ ସ୍ୱଳସଂଚୟ ଏଜେଂଟ ବୃନ୍ଦ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.