ଜିଲ୍ଲା ସରପଞ୍ଚ ସଂଘର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘର କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ସ୍ଥିତ ଅମଳା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ଅତିଥି ଭାବରେ ଯୋଗଦାନ କରିଥିଲେ । ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଓ ପଞ୍ଚାୟତରେ ସରପଞ୍ଚ ମାନଙ୍କ ସମସ୍ୟା କ’ଣ ରହୁଛି ସେନେଇ ଆଲୋଚନା ହୋଇଥିଲା । ତତସହିତ କେସିଙ୍ଗା ବିଡ଼ିଓଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଜିଲ୍ଲା ପ୍ରଶାସନକୁ କରାଯାଇଥିବା ଅଭିଯୋଗ ଉପରେ ମଧ୍ୟ ମୁଖ୍ୟ ଆଲୋଚନାର ବିଷୟ ହୋଇଥିଲା । କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ବ୍ଲକରେ ମନୋମୁଖୀ ଶାସନ କରୁଥିବା ବେଳେ ସରପଞ୍ଚ ମାନଙ୍କୁ ବ୍ଲକ କାର୍ଯ୍ୟାଳୟରେ ଅସମ୍ମାନ ଦେବା ତଥା ମହିଳା ସରପଞ୍ଚ ମାନଙ୍କ ପାଇଁ କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସୁବ୍ୟବସ୍ଥା କରାଯାଇନଥିବାରୁ ମହିଳା ସରପଞ୍ଚ ମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ଅଭିଯୋଗ ହେଉଛି । ଏନେଇ କେସିଙ୍ଗା ବ୍ଲକର ଅଧିକାଂଶ ସରପଞ୍ଚ ଗତ ମାସ ୨୧ ତାରିଖରେ ହୋଇଥିବା କେସିଙ୍ଗା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକରେ ଭାଗ ନନେଇ ବିଡ଼ିଓଙ୍କ ବିରୁଦ୍ଧରେ ବ୍ଲକ ସରପଞ୍ଚ ସଭାପତି ସୁବୋଧ ରଣାଙ୍କ ନେତୃତ୍ବରେ ଧାରଣା ଦେଇଥିଲେ । ଏନେଇ କଳାହାଣ୍ଡି ଜିଲ୍ଲାପାଳ ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠଙ୍କୁ ଲିଖିତ ଅଭିଯୋଗ କରି ତାହାର ତଦନ୍ତ କରିବା ସହ ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ହେଲେ ବିଡ଼ିଓଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସରପଞ୍ଚ ସଂଘ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକି ଆସନ୍ତା ୧୦ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ପୂର୍ବରୁ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ମଙ୍ଗଳବାର ଦିନ କାର୍ଯ୍ୟକାରିଣୀ ବୈଠକ କରାଯାଇ କେସିଙ୍ଗା ବିଡ଼ିଓଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ଉପରେ ସ୍ବତନ୍ତ୍ର ଆଲୋଚନା ହୋଇଥିବା ଜଣାପଡ଼ିଛି । ଖବର ସଂଗ୍ରହରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖ ପୂର୍ବରୁ କେସିଙ୍ଗା ବିଡ଼ିଓଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ବୋଲି ସଭାପତି ସୁବୋଧ ରଣା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସରପଞ୍ଚ ସଂଘର ଉପସଭାପତି ନକୁଲ ନାଏକ, ତାରା ରାୟଗୁରୁ, ସାଧାରଣ ସଂପାଦକ ଗୋବିନ୍ଦ ନାଏକ, କୋଷାଧ୍ୟକ୍ଷ ରୋମାଞ୍ଚ ସାହୁଙ୍କ ସମେତ ଜିଲ୍ଲା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ବ୍ଲକ ସରପଞ୍ଚ ସଂଘର ସଭାପତିଗଣ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.