ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ କୋକସରା ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି । ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ବିମ୍ବାଧର ସାହୁ ପ୍ରଥମେ କୋକସରା ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚିଲେ । ପରେ ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଳକ ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, ସିପି ସୁନୀଲ କୁମାର ସାହୁଙ୍କ ସହ ବ୍ଳକର କାଶିବାହାଲ, ଫୁପଗାଁ, ମୋଟେର, କାଉଡୋଲା, ଡହଗାଁ, ଡୁଡୁକାଠେଙ୍ଗା, ଆମପାଣି ଓ ବରାଡଙ୍ଗା ପଞ୍ଚାୟତ ଗସ୍ତ କରି ବିଭିନ୍ନ ସ୍ଥାନରେ ଚାଲିଥିବା ୫ ଟି ସ୍କୁଲ କାର୍ଯ୍ୟ, ମନରେଗା କାର୍ଯ୍ୟ ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏଥିସହ କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାହୁ କୋକସରା ବ୍ଲକର ୧୧ ଗୋଟି ପଞ୍ଚାୟତର ୪୪ ଜଣ ଜବକାର୍ଡ ଧାରୀଙ୍କୁ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ଶହେ ଦିନ କାର୍ଯ୍ୟ ପୂରଣ କରିଥିବାରୁ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାନପତ୍ର ସହ ସମ୍ବର୍ଦ୍ଧନା ଦେଇଥିଲେ । ତାଙ୍କ ଗସ୍ତ ସମୟରେ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ସମେତ ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ରହିଥିଲେ ।