‘କାନ ଖୋଲି ଶୁଣି ନିଅନ୍ତୁ.. ଭାରତରେ ମୁସଲମାନ ଅଧିକ ସୁରକ୍ଷିତ’


ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା ଉଦ୍ୟମ ପରେ ମୁହଁ ଖୋଲିଛନ୍ତି ଦେଶର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀ। ଯେଉଁମାନେ ବିଭିନ୍ନ ସମୟରେ ଭାରତରେ ଅଳ୍ପ ସଂଖ୍ୟକ ଅସୁରକ୍ଷିତ କହି ସମାଲୋଚନା କରନ୍ତି ସେମାନଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପିର ଏହି ବରିଷ୍ଠ ନେତା।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳମାଡ ପରେ ଦେଶରେ ରାଜନୀତି ମଧ୍ୟ ଦେଖିବାକୁ ମିଳିଛି। ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନକଭି ଇମ୍ରାନ ଖାନଙ୍କ ବାହାନାରେ ଦେଶର ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଛନ୍ତି। ନକଭି କହିଛନ୍ତି ଯେ ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଆକ୍ରମଣ କରାଯାଇଛି। ଏହା ଦର୍ଶାଏ ଯେ ପାକିସ୍ତାନ ସୁରକ୍ଷିତ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ମୁସଲମାନମାନେ ଅଧିକ ସୁରକ୍ଷିତ ପାକିସ୍ତାନ ତୁଳନାରେ।

ବିଜେପି ନେତା ନକଭି ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରି କହିଛନ୍ତି, ପାକିସ୍ତାନରେ ଘଟିଥିବା ଘଟଣା ଭାରତକୁ ପ୍ରଶ୍ନ କରୁଥିବା ଲୋକଙ୍କ ପାଇଁ ଏକ ଆଇନା। ଯେଉଁମାନେ ଭାରତକୁ ବଦନାମ କରନ୍ତି ସେମାନେ ଏକ ଶିକ୍ଷା ଗ୍ରହଣ କରିବା ଉଚିତ୍। ନକଭି ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ମୁସଲମାନମାନେ ଅଧିକ ସୁରକ୍ଷିତ ଅଛନ୍ତି। ପାକିସ୍ତାନରେ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଏହାର ଏକ ଜ୍ୱଳନ୍ତ ପ୍ରମାଣ।

ନକଭି କହିଛନ୍ତି, ଭାରତ ସମସ୍ତଙ୍କ ପାଇଁ ଏକ ନିରାପଦ ଦେଶ। ଏଠାରେ ରହୁଥିବା ମୁସଲମାନମାନେ ଅନ୍ୟ ଦେଶ ଅପେକ୍ଷା ଅଧିକ ସୁରକ୍ଷିତ। ଏଠାରେ ଥିବା ମୁସଲମାନମାନଙ୍କୁ ଧାର୍ମିକ, ବ୍ୟକ୍ତିଗତ ଏବଂ ସ୍ବେଚ୍ଛାକୃତ ସ୍ୱାଧୀନତା ଦିଆଯାଇଛି। ଆପଣ ଯଦି ଭାରତରୁ ପାକିସ୍ଥାନ ଯାଉଛନ୍ତି। ତେବେ ଦୁଇ ଦେଶର ଲୋକଙ୍କ ମୁହଁକୁ ଦେଖନ୍ତୁ ଜାଣିପାରିବେ କଣ ରହିଛି ପାର୍ଥକ୍ୟ।

ପାକିସ୍ତାନର ପେଶାଓ୍ୱାରର ୱାଜିରାବାଦର ଆଲ୍ଲା ହୋ ଚକ୍ ନିକଟରେ ପିଟିଆଇ ଦଳର ସଭାପତି ଇମ୍ରାନ ଖାନ ଶୋଭାଯାତ୍ରା କରି ଯାଉଥିଲେ। ଏହି ସମୟରେ କଣ୍ଟେନର ଟ୍ରକ ଉପରେ ଇମ୍ରାନ ଓ ଅନ୍ୟମାନେ ଛିଡା ହୋଇଥିଲେ। ଏହି ସମୟରେ ଦୁର୍ବୃତ୍ତ ଗୁଳି ମାଡ କରିଥିଲେ। ଯଦିଓ ଇମ୍ରାନ ଖାନ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଲେ ତାଙ୍କ ଗୋଡରେ ଗୁଳି ବାଜିଛି। ତାଙ୍କ ଡାହାଣ ଗୋଡରେ ଏକ ବ୍ୟାଣ୍ଡେଜ୍ ଲାଗିଥିବା ଦେଖିବାକୁ ମିଳିଛି। ଆକ୍ରମଣ ପରେ ଇମ୍ରାନ ଖାନଙ୍କୁ ତାଙ୍କ କଣ୍ଟେନରରୁ ବାହାର କରି ବୁଲେଟ୍ ପ୍ରୁଫ୍ କାରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ବିପଦମୁକ୍ତ ବୋଲି ସୂଚନା ରହିଛି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.