ଲକ୍ଷେ ସୈନ୍ୟ ମୃତାହତ, ଚିନ୍ତାରେ ଋଷ ରାଷ୍ଟ୍ରପତି!

ଓଡ଼ିଆ ବାର୍ତ୍ତା/ ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ୮ ମାସର ଯୁଦ୍ଧ ଶେଷ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।  ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଲକ୍ଷାଧିକ ସୈନ୍ୟଙ୍କ ମୃତାହତକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ଅଧିକ କ୍ଷତି ହେଉ ତାହା ଚାହୁଁନାହାଁନ୍ତି ପୁଟିନ । ସେପଟେ ଆଲୋଚନା ମାଧ୍ୟମରେ ଯୁଦ୍ଧ ଶେଷ କରିବାକୁ ଆମେରିକା ପ୍ରସ୍ତାବ ଦେଇଛି । ୟୁକ୍ରେନ ରାଷ୍ଟ୍ରପତି କିନ୍ତୁ ଆଲୋଚନା ପାଇଁ କିଛି ସର୍ତ୍ତ ରଖିଛନ୍ତି । ଋଷ ଯେଉଁ ଅଞ୍ଚଳ ବେଆଇନ ଭାବେ ହାସଲ କରିଛି ତାହାକୁ ଫେରାଇବା ସହ ଯୁଦ୍ଧ କ୍ଷତିପୂରଣ ଦେବାକୁ ସର୍ତ୍ତ ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି । ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ସହରରୁ ସେନା ପ୍ରତ୍ୟାହା ପାଇଁ ପୁଟିନ କହିବା ପରେ ଏନେଇ ବିଶ୍ବର ବଡ଼ ବଡ଼ ନେତାମାନେ ପୁଟିନଙ୍କ ନିଷ୍ପତ୍ତି ସ୍ବାଗତ କରିଛନ୍ତି ।  ଦକ୍ଷିଣ ୟୁକ୍ରେନ ସହର ଖେରସନ ଏବଂ ଏହାର ଆଖପାଖ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଘୋଷଣା କରିିବା ପରେ ପୁଟିନଙ୍କୁ ଅନେକ ଦେଶ ଆଲୋଚନା କରିବା ପାଇଁ ପୁଣି ପ୍ରସ୍ତାବ ଦେଇଛନ୍ତି । ଯୁଦ୍ଧରେ ପାଖାପାଖି ୩୦ ମିଲିୟନ ଲୋକ ୟୁକ୍ରେନ ଛାଡି ଅନ୍ୟ ଦେଶରେ ଶରଣାର୍ଥୀ ହୋଇ ରହିଛନ୍ତି । ୟୁକ୍ରେନରେ  ପ୍ରବଳ ବର୍ଷା ପରେ ଏବେ ଶୀତ ଋତୁ ଆସିଛି । ସୈନ୍ୟମାନେ ବର୍ଷା ପରେ ଶୀତରେ ଯୁଦ୍ଧ କରିବାକୁ ଚାହୁଁନାହାଁନ୍ତି । କାରଣ ସେମାନେ ଥକି ଗଲେଣି ।  ଗତ ଆଠ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ଋଷ ସୈନ୍ୟର ବିପୁଳ କ୍ଷତି ହୋଇଛି। ତେବେ ୟୁକ୍ରେନ ଅଧିକାରୀମାନେ ଋଷିଆର ଏହି ନିଷ୍ପତ୍ତି ଡ୍ରାମା ବୋଲି କହୁଛନ୍ତି । ସେନା ପ୍ରତ୍ୟାହାର କରିବାର କିଛି ଘଣ୍ଟା ପରେ ପୁଣି ଋଷ ଆକ୍ରମଣ କରିବା ଅନେକ ସହରରେ ଦେଖିବାକୁ ମିଳିଥିବାରୁ ୟୁକ୍ରେନ ସେନା ଏହା ଉପରେ ସତର୍କ ଦୃଷ୍ଟି ରଖିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.