ଓଡିଆ ବାର୍ତ୍ତା / କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ +୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଦ୍ବିତିୟ ବର୍ଷ ଛାତ୍ରଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ସମ୍ମାନିତ ଅତିଥି ଭାବେ ଯୁବ ଉଦ୍ୟୋଗୀ ବିଭୁପ୍ରସାଦ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନେ କିଭଳି ଭବିଷ୍ୟତରେ ଉନ୍ନତ ମାନର ଶିକ୍ଷାଲାଭ କରି ଉଜ୍ଵଳ ଭବିଷ୍ୟତ ଗଠନ କରିବେ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନିଜନିଜ ମଧ୍ୟରେ ଭାଇଚାରା ସୃଷ୍ଟିକରି ଶିକ୍ଷାଲାଭ କରିବେ ସେ ଦିଗରେ ଅବଗତ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ବିରେନ୍ଦ୍ର ସାହୁ, ଇତିହାସ ଅଧ୍ୟାପକ ଲମ୍ଵୋଦର ସାହୁକାର, ଇଂରାଜି ଅଧ୍ୟାପକ ଗଗନ ବିହାରୀ ମହାପାତ୍ର, ପିତାମ୍ବର ସାହୁ, ରାଜକିଶୋର ରଣା, ପ୍ରସନ୍ନ ବେହେରା, ଜ୍ୟୋତିମାଳା ରାଉତ, ଧ୍ରୁବଚରଣ ସାହୁ, ଚୁଡାମଣି ସାହୁ ପ୍ରମୁଖ ଯୋଗଦେଇ ଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।