ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଟିଙ୍ଗିପଦର ଗ୍ରାମରେ ଗତକାଲି ଅପରାହ୍ନ ସମୟରେ ଗ୍ରାମ ନିକଟରେ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଯୁବତୀଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗରୁ ଜଣାଯାଏ ଯେ, ଟିଙ୍ଗିପଦର ଜଣେ ଯୁବତୀଙ୍କ ସହିତ ଏହି ଗ୍ରାମର ତୀର୍ଥ ଦାସଙ୍କ ପୁଅ ସୁନିଲ ଦାସ (୨୧)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଦୁହେଁ ଗତ ଅଗଷ୍ଟ ମାସ ୧୮ ତାରିଖ ଦିନ ଘରୁ ଫେରାର ହୋଇ ଯାଇଥିଲେ । ଏନେଇ ଝିଅର ବାପା କେଗାଁ ଥାନରେ ସମ୍ପୃକ୍ତ ପୁଅ ସହିତ ତାଙ୍କ ଝିଅ କୁଆଡେ ପଳେଇ ଥିବା ଲିଖିତ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ପୁଅ ଓ ଝିଅ ଫେରିଆସି ଅକ୍ଟୋବର ମାସ ୧୫ ତାରିଖ ଦିନ କେଗାଁ ଥାନାରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଅକ୍ଟୋବର ମାସ ୩୦ ତାରିଖ ଦିନ କୋର୍ଟ ମ୍ୟାରେଜ ହେବ ବୋଲି ଚୁକ୍ତି ହୋଇଥିଲା କିନ୍ତୁ ଏହି ତାରିଖରେ ପୁଅ କୋର୍ଟ ମ୍ୟାରେଜ ନକରି ଝିଅକୁ ନେଇ ଫେରାର ହୋଇ ଯାଇଥିଲା । ପରବର୍ତ୍ତୀ ସମୟରେ ଝିଅର ବାପା କେଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ପୁଅର ବାପା ମା ପୁଅ ଓ ଝିଅଙ୍କୁ ଯେଉଁଠି ଥିଲେ ମଧ୍ୟ ଧରି ଆଣି ଚଳିତ ମାସ ୯ ତାରିଖ ଦିନ କୋର୍ଟ ମ୍ୟାରେଜ କରିବୁ ବୋଲି ଚୁକ୍ତିନାମା କରିଥିଲେ । କିନ୍ତୁ ୯ ତାରିଖ ଦିନ ପୁଅ ଝିଅ ଆସିନଥିବା ବେଳେ ଗତକାଲି ୧୦ ତାରିଖ ଦିନ କେବଳ ଝିଅ ପୁଅ ଘରକୁ ଆସିଥିବା ବେଳେ ଅପରାହ୍ନ ସମୟରେ ଗାଁ ନିକଟରେ ଥିବା ଏକ କପା ବାଡ଼ି ମଧ୍ୟରେ ଥିବା ନିମ୍ବ ଗଛରେ ଝିଅର ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଉକ୍ତ ଘଟଣା ଦେଖି ଝିଅର ବାପା ତାଙ୍କ ଝିଅକୁ ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିକ୍ତି କରି କେଗାଁ ଥାନା ଏସଆଇ ମେଘରାୟ ହାଁସଦା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ରାତ୍ର ହେବାରୁ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ ହୋଇ ପାରିନଥିବା ବେଳେ ଆଜି ସକାଳ ସମୟରେ ସାଇଣ୍ଟିଫିକ ଟିମ ଜରିଆରେ ପ୍ରାଥମିକ ତଦନ୍ତ କରି ଶବଟିକୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ପଠାଛନ୍ତି । ଏହି ସମୟରେ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ମଧ୍ୟ ଉପସ୍ଥିତ ଥିଲେ । ତଦନ୍ତକାରୀ ଅଫିସର ଶ୍ରୀ ହାଁସଦା ପ୍ରାଥମିକ ଭାବେ ଥାନା କେସ ନମ୍ବର ୧୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଅନେକ ଘଟଣା ଜଣାପଡିବ ବୋଲି ସୂଚନା ଦେଇଛନ୍ତି । ସମ୍ପୃକ୍ତ ପୁଅ ପୂର୍ବରୁ ଫେରାର ଥିବା ବେଳେ ଉକ୍ତ ଘଟଣାପରେ ପୁଅର ବାପା ଓ ମାଁ ମଧ୍ୟ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ସମ୍ପୃକ୍ତ ପୁଅ ଓ ତା’ର ବାପା ମାଁ କୁ ତୁରନ୍ତ ଧରି ଆଇନ ଅନୁଯାୟୀ ଦଣ୍ଡିତ କରିବାରକୁ ଝିଅର ପରିବାର ଲୋକ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.