ଆଲେପି ଧାନବାଦ ଟ୍ରେନରେ ଅଗ୍ନିକାଣ୍ଡ

ବିପଦ ଘଟିବା ପୂର୍ବରୁ ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ – ରୁପ୍ରାରୋଡ଼ – କେସିଙ୍ଗା ଦେଇ ଆଲ୍ଲେପିରୁ ଧାନବାଦ ଯାଉଥିବା ଏକ୍ସପ୍ରେସ ଟ୍ରେନର ଦୁଇଟି ବୋଗିରେ ନିଆଁ ଲାଗି ଯାଇଥିଲା । ରୁପ୍ରାରୋଡ ଷ୍ଟେସନ ଅତିକ୍ରମ କରି କେସିଙ୍ଗା ଅଭିମୁଖେ ଟ୍ରେନଟି ଯାଉଥିବା ସମୟରେ ବଳବସପୁର ଫାଟକରେ ଥିବା ଗେଟ କିପର ଟ୍ରେନରେ ନିଆଁ ଲାଗିଥିବା ଦେଖି ରୁପ୍ରାରୋଡ ଷ୍ଟେସନ ମାଷ୍ଟରଙ୍କୁ ୱାକି ଟକିରେ ସୂଚନା ଦେଇଥିଲେ । ଷ୍ଟେସନ ମାଷ୍ଟର ସୂଚନା ପାଇବା ପରେ ସାଙ୍ଗେ ସାଙ୍ଗେ ଇଞ୍ଜିନ ଚାଳକଙ୍କୁ ଫୋନ କରି ଟ୍ରେନ ରଖିବା ପାଇଁ ସୂଚାଇ ଦେଇଥିଲେ । ବଲବସପୁର ଗାଁକୁ ଅତିକ୍ରମ କରି କିଛି ଦୁରରେ ଟ୍ରେନ ଟିକୁ ଛିଡା କରାଇଥିଲେ ଇଞ୍ଜିନ ଚାଳକ । ଟ୍ରେନ ଛିଡା ହେବା ପରେ ନିଆଁ ଲାଗିଥିବା ବୋଗିରୁ ଯାତ୍ରୀ ମାନେ ନିଜ ନିଜ ଜିନିଷ ନେଇ ତଳକୁ ଓହ୍ଲାଇଥିଲେ । ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ଏବଂ ଦମକଳ ବିଭାଗ ମଧ୍ୟ ଆସି ଘଟଣା ସ୍ଥଳରେ ପହଂଛି ଥିଲେ । ନିଆଁ ଲାଗିଥିବା ବୋଗି ପାଖକୁ ଯିବା ପାଇଁ କୌଣସି ସୁବିଧା ନ ଥିଲା । ଫଳରେ ଦମକଳ ବାହିନୀ ଓ ଆମ୍ବୁଲାନ୍ସକୁ ବାଟରେ ହିଁ ଅଟକାଇବାକୁ ପଡ଼ିଥିଲା । ବଲବସପୁର ଗାଁର ଲୋକେ ଆସି ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । କିଛି ଲୋକ ଭୟଭିତ ହେଇ ଗାଁ ଭିତରକୁ ପଳାୟନ କରିଥିଲେ । ସେମାନଙ୍କୁ ବଲବସପୁର ଗ୍ରାମବାସୀ ନେଇ ଷ୍ଟେସନ ମାଷ୍ଟରଙ୍କୁ ଜୀମା ଦେଇ ଆସିଥିଲେ । ବୋଗିରେ ନିଆଁ ଲାଗିବା କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.