ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚାୟତରେ ହୋ ହାଲ୍ଲା କଲେ ମହିଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର କେନ୍ଦୁଡଙ୍ଗରୀ ଓ ବରାଡଙ୍ଗା ଗ୍ରାମରେ ଦିର୍ଘ ୩ମାସ ହେବ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି। ବାରମ୍ବାର ଅଭିଯୋଗ ସତ୍ବେ ସମସ୍ୟାର ସମାଧାନ ଦିଗରେ କାହାରି ଦୃଷ୍ଟି ପଡିନାହିଁ। ଏନେଇ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ମାସିକ ବୈଠକ ଚାଲିଥିବା ଖବର ପାଇ ଉଭୟ ବରାଡଙ୍ଗା ଓ କେନ୍ଦୁଡଙ୍ଗରୀ ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଏବଂ ତୁରନ୍ତ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ଦାବି କରିଥିଲେ। ସୂଚନା ଅନୁସାରେ, ବରାଡଙ୍ଗା କମଳ ନଦୀ କୁଳରେ ଥିବା ଓଭର ହେଟ ପାଣି ଟାଙ୍କିରୁ ବରାଡଙ୍ଗା ଓ କେନ୍ଦୁଡଙ୍ଗରୀ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଥିଲା। ହେଲେ କୈାଣସି କାରଣରୁ ପାନୀୟ ଜଳ ଯୋଗାଣ ଦିର୍ଘ ୩ ମାସ ହେବ ବନ୍ଦ ହୋଇଛି। ଯାହା ଫଳରେ ଉଭୟ ଗ୍ରାମର ୬ ଗୋଟି ୱାର୍ଡର ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ ଲୋକ ପିଇବା ପାଣି ଟିକକ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏନେଇ ପୂର୍ବରୁ ସରପଞ୍ଚ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ବି ସମସ୍ୟାର ସମାଧାନ ହୋଇ ନଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ତେବେ ମଙ୍ଗଳବାର ମହିଳା ହେମଲତା ନାଏକ, କୈଶଲ୍ୟା ନାଏକ, ସୁରେନ୍ଦ୍ରୀ ନାଗ, ସୁରୁମ ନାଏକ, ଗାୟତ୍ରୀ ଦାସ, ଡମେନ ବଚ୍ଛା, ନିଲିମା ଦାସ, ନବିନା ନାଏକ ସମେତ ପୂର୍ବତନ ସରପଞ୍ଚ ଗୋକୁଳ ନାଏକ, ସନ୍ତୋଷ ନାଏକ, ପବିତ୍ର ନାଏକ, କୁମର ନାଏକ, କରୁଣା ହରିଜନ ସହିତ ଗ୍ରାମବାସୀମାନେ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପାଣି ଯୋଗାଇ ଦେବା ପାଇଁ ଅଡ଼ି ବସିଥିଲେ। ତେବେ କିଛି ସମୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ହୋ ହାଲ୍ଲା ସୃଷ୍ଟି ହୋଇଥିଲା । ପରେ ସରପଞ୍ଚ ନିରୁପମା ସେଠୀ ଆସନ୍ତା ୭ଦିନ ମଧ୍ୟରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ମହିଳା ମାନେ ଶାନ୍ତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.