ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଚାଲିଥିବା ପ୍ରଥମ କ୍ରୀଡା ପ୍ରତିଯୋଗିତା ସଫଳତାର ସହ ସଂପନ୍ନ ହୋଇଯାଇଛି। କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ତତ୍ବାବଧାନରେରେ ଆୟୋଜିତ ଏହି ପାଞ୍ଚ ଦିନିଆ କ୍ରୀଡା ପତିଯୋଗିତାରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୧୮ଟି ମହାବିଦ୍ୟାଳୟ ଭାଗ ନେଇଥିଲେ। ପ୍ରଥମ ଦିବସରେ କୁଳପତିଙ୍କ କରକମଳରେ ଚେସ ଏବଂ କେରମ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିଲା। ଚେସ ପ୍ରତିଯୋଗିତାରେ ପ୍ରଗତି ମହାବିଦ୍ୟାଳୟର ତୁଷାର କାନ୍ତ ସାହୁ ବିଜୟୀ ହୋଇଥିବା ବେଳେ କେରମରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ୟାମ୍ପସର ସୌମ୍ୟ ରଂଜନ ତ୍ରିପାଠୀ ବିଜୟୀ ହୋଇଥିଲେ। କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାରିଦିନ ଧରି ୟୁନିଭରସିଟି ଖେଳ ପଡିଆ ଏବଂ ରିଜର୍ଭ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଠରଟି ଦଳ ଭାଗ ନେଇଥିଲେ। ପ୍ରଥମେ ପଞ୍ଚାୟତ ମହାବିଦ୍ୟାଳୟ ନର୍ଲା ନୂଆପଡା ମହାମାୟା କଲେଜକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା। ଅନ୍ତିମ ଦିବସରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ନେସନାଲ୍ କଲେଜ ନୂଆପଡାକୁ ପରାଜିତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା। ଫାଇନାଲ ମ୍ୟାଚରେ ନର୍ଲା କଲେଜ ଟସ୍ ଜିଣି ପ୍ରତିପକ୍ଷ କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପାଞ୍ଚ ଉଇକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଥିଲା। ୧୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ବିନିମୟରେ ୧୬୨ ରନ ସଂଗ୍ରହ କରି ପାରିଥିଲା। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏହି ମ୍ୟାଚକୁ ୨୫ ରନ ବ୍ୟବଧାନରେ ବିଜୟ ଲାଭ କରି ପ୍ରଥମ ଆନ୍ତ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛି। ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସେରିଜ୍ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ରିକେଟ ଦଳର କ୍ୟାପଟେନ ନରେନ୍ଦ୍ର କୁମାର ବାଗ ହାତେଇଥିଲେ। କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଅଭିଳାଷ ପୁରୋହିତଙ୍କୁ ବେଷ୍ଟ୍ ବୋଲରର ମାନ୍ୟତା ମିଳିଥିଲା ଏବଂ ପଞ୍ଚାୟତ ସମିତି ମହାବିଦ୍ୟାଳୟ ନର୍ଲାର ଯଶୋବନ୍ତ ମାଝିଙ୍କୁ ବଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ପୁରସ୍କୃତ କରାଯାଇଛି। ମ୍ୟାଚରେ ରାନର୍ସ ଅଫ ଦଳକୁ କୁଳପତି ଟ୍ରଫି ପ୍ରଦନ କରିଥିଲେ ଏବଂ ବିଜୟୀ ଦଳକୁ ମୁଖ୍ୟ ଅତିଥି ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଭାରତ ଭୂଷଣ ଦେଓ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅତିଥି ଭାବରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ସୁବ୍ରତ ବହିଦାର, କଳାହାଣ୍ଡି ଡିଆଇପିଆରଓ ମନୋଜ ବେହେରା, ପୂର୍ବତନ ରଣଜୀ ଖେଳାଳି ପ୍ରସନ୍ନ ସାହାଣୀ, ପିକେ ସାହୁ, ସତ୍ୟନାରାୟଣ ମହାପାତ୍ର, ରଘୁନାଥ ମିଶ୍ର, ଲୁଡୁ ସାସନି, ଜୟଦେବ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଶେଷ ଦିବସର ଖେଳକୁ ଓସିଏ ଆମ୍ପାୟର ବୁଲୁ ସିଂହ ଏବଂ ସୁମିତ ପଟ୍ଟନାୟକ ପରିଚାଳନା କରିଥିବାବେଳେ କ୍ରୀଡା ମହୋସବକୁ ପରିଚାଳନା କରିଥିଲେ ଡକ୍ଟର ଘନଶ୍ୟାମ ବେହେରା , ପ୍ରଦୀପ କୁମାର ପ୍ରଧାନ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଗଣ। ଧାରା ବିବରଣୀ ପ୍ରଦାନ କରିଥିଲେ ଅଂଶୁମାନ ବାବୁ। ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଖେଳକୁ ଉପଭୋଗ କରିଥିଲେ।