ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଅହମଦାବାଦ ଜିଲ୍ଲାର ବଭଲା ଗାଁରେ ଏକ ସଭାରେ ଉଦବୋଧନ ଦେଉଥିବା ବେଳେ ଡ୍ରୋନ୍ ଉଡି ଆସିଥିଲା । ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ଘୋଷଣା ହୋଇଥିବା ବେଳେ ହଠାତ୍ ଡ୍ରୋନଟି ମାଡି ଆସିଥିଲା। ପରେ ସୁରକ୍ଷା ଦାୟିତ୍ୱରେ ଥିବା ଏନଏସଜି କମାଣ୍ଡୋ ଡ୍ରୋନଟିକୁ ତଳକୁ ଓହ୍ଲାଇ ଦେଇଥିଲେ। ମିିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତି ଫଟୋ ଉଠାଇବାକୁ ସଭାସ୍ଥଳ ନିକଟରେ ଭିଡିଓ ରେକର୍ଡିଂ ପାଇଁ ଡ୍ରୋନ୍ ଉଡାଇଥିଲେ। ତେବେ ପୋଲିସ ଏବଂ ଏସପିଜିଙ୍କୁ ଦେଖି ସେହି ବ୍ଯକ୍ତି ଦୌଡ଼ି ପଳାଇବା ଆରମ୍ଭ କରିଥିଲେ। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଯାହାର ନାମ କେଶ କାଲୁ ଭୋଇ, ନିକୁଲ ରମେଶ ଭୋଇ ପରମାର, ରାଜେଶ ପ୍ରଜାପତି। ଏହି ତିନି ଜଣଙ୍କୁ ପଚରାଉଚରା କରାଯାଉଛି।
ପୋଲିସ ଚେତାବନୀ ଦେବା ପରେ ଡ୍ରୋନକୁ ଓହ୍ଲାଇ ଦିଆଯାଇଛି। ଡ୍ରୋନରେ କୈାଣସି ବିସ୍ଫୋରକ ନଥିଲା। ଏଥି ସହ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ‘ନୋ ଡ୍ରୋନ୍ ଫ୍ଲାଏ ଜୋନ୍’ ବିଜ୍ଞପ୍ତିକୁ ଉଲ୍ଲଂଘନ କରି ପୋଲିସ ଏଫ୍ଆଇଆର ରୁଜୁ କରିଛି। ଧାରା ୧୮୮ ଅନୁଯାୟୀ ପୋଲିସ ଏହି ତିନି ଜଣଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ଏହି ତିନି ଅଭିଯୁକ୍ତ ପୋଲିସକୁ କହିଥିଲେ ଯେ ସେମାନେ ଫଟୋ ଉଠାଇବାକୁ ଆସିଥିଲେ। ସେମାନେ ଜାଣି ନଥିଲେ ଯେ ଏହି ଅଞ୍ଚଳରେ ଡ୍ରୋନ୍ ଉଡାଇବାକୁ ବାରଣ ରହିଛି। ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ କିମ୍ବା ପୋଲିସ କେସ ନାହିଁ। ଏପିରିକି ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କର କୌଣସି ରାଜନୈତିକ ଦଳ ସହ ଲିଙ୍କ୍ ନାହିଁ।