ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର ଓ ଫଟୋ ବ୍ୟବହାର ମନା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ଫଟୋ ଓ ଡାଏଲଗ୍ ବ୍ୟବହାର ଉପରେ ଲାଗିଲା କଟକଣା । ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ଅନୁମତି ବିନା ବିଗ୍-ବିଙ୍କ ସ୍ୱର ଓ ଫଟୋକୁ ବ୍ୟବହାର କରିବାକୁ ମନା କରିବା ନେଇ ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଅନେକ ତାଙ୍କର ସ୍ୱର, ଫଟୋ ବ୍ୟବହାର କରି ବିଜ୍ଞାପନ କରୁଛନ୍ତି । ଟି-ସାର୍ଟ ଠାରୁ ଆରମ୍ଭ କରି ପୋଷ୍ଟର ଓ ଲଟେରିରେ ତାଙ୍କ ଫଟୋକୁ ରଖାଯାଉଛି । ଏହାକୁ ବନ୍ଦ କରିବା ପାଇଁ ସେ ତାଙ୍କ ପିଟିସନରେ ନିବେଦନ କରିଛନ୍ତି ।

ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଅମିତାଭ ବଚ୍ଚନଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ବିଗ-ବି ଙ୍କ ଫଟୋ, ସ୍ୱର ଓ ନାଁକୁ ବ୍ୟବହାର କରିବା ଦ୍ୱାରା ତାଙ୍କ ବ୍ୟକ୍ତିତ୍ୱ କ୍ଷୁର୍ଣ୍ଣ ହେଉଛି ବୋଲି ସେ କୋର୍ଟଙ୍କୁ ଦର୍ଶାଇଥିଲେ । ଅମିତାଭ ନିଜ ପାଇଁ ପବ୍ଲିସିଟି ଓ ପର୍ସନାଲିଟି ଅଧିକାର ମାଗିଛନ୍ତି । ହାଇକୋର୍ଟ ଟେଲିକମ୍ ଡିପାର୍ଟମେଣ୍ଟ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତିଯେ, ସାର୍ବଜନୀନ ଭାବେ ଥିବା ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ ପର୍ସନାଲିଟି ଷ୍ଟାଟସକୁ ତୁରନ୍ତ ହଟାଇ ଦିଆଯାଉ ।

ଏହାସହିତ ଅମିତାଭ ବଚ୍ଚନଙ୍କ ସ୍ୱର, ନାଁ ଓ ଫଟୋକୁ ଯେଉଁ ମାନେ ଅବୈଧ ବ୍ୟବହାର କରିଛନ୍ତି, ସେମାନଙ୍କ ଫୋନ ନମ୍ୱର ତାଲିକା ଟେଲିକମ୍ ବିଭାଗଠୁ ମଗାଇଛନ୍ତି ହାଇକୋର୍ଟ । ତାଙ୍କ ନାଁରେ ସୋସିଆଲ ମିଡିଆରେ ଲଟ୍ରି ଓ ବିଜ୍ଞାପନ ଚାଲିଛି । ଏପରିକି ସେଥିରେ କେବିସି ଲୋଗୋ ବି ଲାଗିଛି । ଏପରି ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି ଅମିତାଭଙ୍କ ଓକିଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ତେଣୁ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର୍ସଙ୍କୁ ବିଗ-ବି ଙ୍କ ସମ୍ପର୍କିତ ଲିଙ୍କ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିଭଳି ଭାବେ ବେଆଇନ କମର୍ସିଆଲ୍ ଇଣ୍ଡଷ୍ଟ୍ରିକୁ ନିୟନ୍ତ୍ରଣ କରିବାରେ ଅମିତାଭ ବଚ୍ଚନଙ୍କୁ ହାଇକୋର୍ଟରୁ ବଡ଼ ରାୟ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.