ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି ୱାସିମ ଆକ୍ରମ ଓ ସଲୀମ ମଲିକ ମୁହାଁମୁହିଁ

ଓଡ଼ିଆ ବାର୍ତ୍ତା/ ଲାହୋର: ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି ୱାସିମ ଆକ୍ରମ ଓ ସଲୀମ ମଲିକ ମୁହାଁମୁହିଁ ହୋଇଛନ୍ତି । ଆକ୍ରମ ନିଜ ଦେଶର ମଲିକଙ୍କ ବିରୋଧରେ କେତେକ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ୧୯୮୨ରେ ସଲିମ ଏବଂ ୧୯୮୪ରେ ଆକ୍ରମ ପାକିସ୍ତାନ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଆକ୍ରମ ତାଙ୍କ ଜୀବନୀ ସୁଲତାନ: ଏମେମୋୟରରେ ଏହି ଖୁଲାସା କରିଛନ୍ତି । ସେ ଲେଖିଛନ୍ତି ସିନିୟର ହେବାର ଫାଇଦା ମଲିକ ଉଠାଇ ତାଙ୍କୁ ଚାକର ପରି ବ୍ୟବହାର କରିଛନ୍ତି । ତାଙ୍କ ମାଲିଶ କରିବାଠାରୁ ଆରମ୍ଭ କରି ଜୋତା ଏବଂ କପଡା ମଧ୍ୟ ସଫା କରାଇଛନ୍ତି ବୋଲି ଆକ୍ରମ ଉଲ୍ଲେଖ କରିଛନ୍ତି । ଉଭୟ ପାକିସ୍ତାନ ପକ୍ଷରୁ ଖେଳୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରାୟତଃ କଥାବାର୍ତା ନ ଥିଲା । ୧୯୯୨ରୁ ୯୫ ପର୍ଯ୍ୟନ୍ତ ମଲିକଙ୍କ ନେତୃତ୍ୱରେ ଆକ୍ରମ ଦେଶ ପକ୍ଷରୁ ଖେଳିଥିଲେ । ତାଙ୍କ ନେତୃତ୍ୱରେ ପାକିସ୍ତାନ ୧୨ଟେଷ୍ଟରୁ ୭ ଏବଂ ଦିନିକିଆରେ ୩୪ରୁ ୨୧ରେ ବିଜୟୀ ହୋଇଥିଲା । ୨୦୦୦ରେ ମଲିକ ମ୍ୟାଚ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ ବାସନ୍ଦ ହୋଇଥିଲେ । ସଲିମ ମଧ୍ୟ ଆକ୍ରମଙ୍କ ବ୍ୟବହାର ନେଇ ଚଳିତ ବର୍ଷ ଆରମ୍ଭରୁ କେତେକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଆକ୍ରମ ଅଧିନାୟକ ହେବା ଲକ୍ଷ୍ୟରେ ଥିବାରୁ ମୋ ସହିତ କଥା ହେଉ ନ ଥିଲେ । ଏପରିକି ବୋଲିଂ କରିବା ବେଳେ ବଲ ହାତକୁ ଦେବା ବେଳେ ଛଡେଇ କରି ନେଇ ଯାଉଥିଲେ । ଏତେ ଦିନ ପରେ ଆକ୍ରମ କାହିଁକି ଏ ଭଳି ଲେଖିଲେ ବୋଲି ସଲୀମ ପ୍ରଶ୍ନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.