ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ମଧୁସୂଦନ ଠାକୁର): ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ‘ଦେବଗିରି ଶିଳ୍ପୀ ସମ୍ମାନ-୨୦୨୨’ରେ ସମ୍ମାନିତ ହୋଇଛନ୍ତି କେସିଙ୍ଗା ବ୍ଲକ ସୁରିଙ୍ଗପଦର ଗ୍ରାମର ଯୁବ ଚିତ୍ରଶିଳ୍ପୀ ପ୍ରକାଶ ଚନ୍ଦ୍ର ବାଗ। ଶ୍ରୀ ବାଗ ଚିତ୍ରକଳା, ମୂର୍ତ୍ତିକଳା ଓ ମଂଚ ନିର୍ମାଣରେ ସମଗ୍ର ରାଜ୍ୟରେ ଏକ ପରିଚିତ ନାମ। ରାୟଗଡ଼ାର ‘ଚଇତି’, କୋରାପୁଟର ‘ପରବ୍’, ବଲାଙ୍ଗିରର ‘ଲୋକ ମହୋତ୍ସବ’, ଗଜପତି ଜିଲ୍ଲା ଲୋକ ମହୋତ୍ସବ, କଳାହାଣ୍ଡି ଉତ୍ସବ ‘ଘୁମୁରା’ର ‘ପାରବା ମଂଚ’, ବୁଢ଼ାଡଙ୍ଗର ଲୋକ ମହୋତ୍ସବ, କୁମାରସ୍ୱାମୀ ମହୋତ୍ସବ ଆଦି ଅନେକ ମଂଚ ନିର୍ମାଣରେ ସେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରକାଶ ଚନ୍ଦ୍ର ବାଗଙ୍କୁ ଦେବଗିରି ଶିଳ୍ପୀ ସମ୍ମାନରେ ସମ୍ମାନୀତ କରିଥିଲେ।