ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିରେ ଡ୍ରାଗନ୍ ଫଳ ଚାଷ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସଫଳ ଚାଷୀ ବୈଷ୍ଣବ ଚରଣ ସାହୁଙ୍କୁ ଚଳିତ ବର୍ଷର ‘ଦେବଗିରି କୃଷି ସମ୍ମାନ’ରେ ସମ୍ମାନିତ କରାଯାଇଛି। ସେ ଇସ୍କନ ଭକ୍ତ ଭାବରେ ଦ୍ୱାରିକା ତୀର୍ଥ କରିବାକୁ ଯାଇ ସେଠାରେ ଡ଼୍ରାଗନ୍ ଚାଷ ଦେଖିଥିଲେ। ସେଠାରେ ବଗିଚାର ମାଲିକଙ୍କ ପାଖରେ ଅଢେଇ ବର୍ଷ ରହି ତାଲିମ ନେବା ପରେ ୨୦୧୮ ମସିହାରେ ଘରକୁ ଫେରି ଏହି ଚାଷରେ ମନୋନିବେଶ କରିଥିଲେ। ବର୍ତ୍ତମାନ ସେ ଏହି ବିଦେଶୀ ଫଳ ଚାଷକରି ସଫଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ଦେବଗିରି କୃଷି ସମ୍ମାନରେ ସମ୍ମାନୀତ କରିଥିଲେ।