ଦେବଗିରି ବାର୍ତ୍ତା ସମ୍ମାନ ପାଇଲେ ୭ ସାମ୍ବାଦିକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନିତ ହୋଇଛନ୍ତି  କଳାହାଣ୍ଡି ଜିଲ୍ଲାର ୭ଜଣ ସୁନାମଧନ୍ୟ  ସାମ୍ବାଦିକ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନନ୍ତ କୁମାର ପାଳ, ସ୍ନିଗ୍ଧାରାଣୀ ସିଂହ (ନିକ୍କି), ଲକ୍ଷ୍ମଣ ସ୍ୱାଇଁ, ଲିଙ୍ଗରାଜ ମିଶ୍ର, ନବୀନ କିଶୋର ସାହୁ, ଲିଙ୍ଗରାଜ ମିଶ୍ର ଓ ନିକୁଞ୍ଜ ଦତ୍ତାଙ୍କୁ କୁମାରସ୍ବାମୀ ମହୋତ୍ସବର ଦ୍ଵିତୀୟ ସାନ୍ଧ୍ୟ ଅଧିବେଶନରେ ଦେବଗିରି ବାର୍ତ୍ତା ସମ୍ମାନ ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବର ଦ୍ବିତୀୟ ଦିବସ ସମାରୋହକୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦେଇଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ୩୦ତମ ବାର୍ଷିକ ଉତ୍ସବ ସମାରୋହରେ ନୂଆପଡ଼ା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ ନାଗ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ,  ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ଯୁବ ଉଦ୍ୟୋଗପତି ଧିରେନ୍ଦ୍ର ଖେତାନ ପ୍ରମୁଖ ମଞ୍ଚାସୀନ ରହି ଏହି ୬ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରିଥିଲେ। ଦ୍ବିତୀୟ ଦିବସରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ମଞ୍ଚ ସଂଚାଳନ କରିଥିବାବେଳେ ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ ସ୍ବାଗତ ଅଭିଭାଷଣ ଓ ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଭାବେ ଉଦଜାପନୀ ଉତ୍ସବରେ ଲାଞ୍ଜିଗଡ ପ୍ରେସ କ୍ଲବ ସଭାପତି ତଥା ନକ୍ଷତ୍ର ନ୍ୟୁଜର ସମ୍ବାଦଦାତା କୈଳାଶ ଚନ୍ଦ୍ର ସାହୁଙ୍କୁ ମଧ୍ୟ ଦେବଗିରି ବାର୍ତ୍ତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦେବଗିରି ବାର୍ତ୍ତା ସମ୍ମାନ ପାଇଥିବା ସାମ୍ବାଦିକ ଲିଙ୍ଗରାଜ ମିଶ୍ର କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ଉପ ସଭାପତି ଥିବାବେଳେ ସେ ଦୀର୍ଘବର୍ଷ ଧରି ପ୍ରଗତିବାଦୀ ଖବରକାଗଜର ନର୍ଲା ପ୍ରତିନିଧି ଏବଂ ଓଡ଼ିଆ ବାର୍ତ୍ତାର କଳାହାଣ୍ଡି ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି  ଭାବେ ସମ୍ବାଦ ପରିବେଷଣ କରିଆସୁଛନ୍ତି। ସାମ୍ବାଦିକ ଅନନ୍ତ କୁମାର ପାଳ ୨୦୧୪ରୁ ପ୍ରଜାତନ୍ତ୍ର ଦୈନିକର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟାରମ୍ଭ କରି ପରବର୍ତ୍ତୀ ସମୟରେ ସର୍ବସାଧାରଣ ଓ ଅର୍ଗସ ନ୍ୟୁଜରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଦର୍ଶନ ନ୍ୟୁଜର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ସେହିପରି ଭାବେ  ଲକ୍ଷ୍ମଣ ସ୍ୱାଇଁ ଜଣେ ଯୁବ ସାମ୍ବାଦିକ, ସୁସଂଗଠକ, ଗୀତିକାର, ଗାଳ୍ପିକ, କାହାଣୀ ଓ ପ୍ରଚ୍ଛଦପଟ୍ଟ ଲେଖକ ଭାବରେ ସୁପରିଚିତ। ୨୦୦୬ ମସିହାରୁ ସେ ନିରବଛିନ୍ନ ଭାବେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଆସୁଥିବା ବେଳେ ବର୍ତ୍ତମାନ କ୍ରାନ୍ତିଧାରା ଦୈନିକ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅଛନ୍ତି।  ନବୀନ କିଶୋର ସାହୁ ଜଣେ ନିରପେକ୍ଷ ଖବରଦାତା ଭାବେ ସୁପରିଚିତ। ପୂର୍ବରୁ ସେ ସମ୍ବାଦ, ନିତିଦିନ, ସର୍ବସାଧାରଣ ଓ ପ୍ରଜାତନ୍ତ୍ରରେ କାର୍ଯ୍ୟ କରିଥିବାବେଳେ ବର୍ତ୍ତମାନ ପ୍ରମାଦ ଦୈନିକ ଖବରକାଗଜରେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଏବଂ ଓଡ଼ିଆ ବାର୍ତ୍ତାର ସ୍ବତନ୍ତ୍ର ପ୍ରତିନିଧି ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ସେହିପରି ଭାବେ ପହରା’ରୁ ସାମ୍ବାଦିକତା ଆରମ୍ଭ କରି ଲୋକପ୍ରିୟ ହୋଇଥିବା ସାମ୍ବାଦିକା ସ୍ନିଗ୍ଧାରାଣୀ ସିଂହ (ନିକ୍କୀ) ନ୍ୟୁଜ୍ ସେଭେନ୍’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ଜଣେ ଯୁବ ପତ୍ରକାର ଭାବେ ସେ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚି ଜନସାଧାରଣଙ୍କ କଥାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚାଇଥାନ୍ତି। ଜିଲ୍ଲାର ପ୍ରଥମ ଟିଭି ସାମ୍ବାଦିକା ନିକ୍କୀ ସାହିତ୍ୟ ଓ ଚିତ୍ରକଳାରେ ମଧ୍ୟ ବେଶ୍ ସକ୍ରିୟ। ସେହିପରି ଭାବେ ସଙ୍ଗୀତ ଓ ସମାଜସେବାରେ ରୁଚି ରଖିଥିବା ଯୁବ ସାମ୍ବାଦିକ ନିକୁଞ୍ଜ ଦତ୍ତା ନବଭାରତ ଖବରକାଗଜର ନର୍ଲା ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରୁଛନ୍ତି। ନିଷ୍ଠାପର ସାମ୍ବାଦିକତା ପାଇଁ କଳାହାଣ୍ଡି ମାଟିର ଏହି ସୂଯୋଗ୍ୟ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.