ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଦୁଇଜଣ ଯୁବ ଶିକ୍ଷାବିତ୍ ଅମିତ କୁମାର ଜାଲ ଓ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ଦେବଗିରି ଗୁରୁ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଯୁବ ମିମିକ୍ରି କଳାକାର ତଥା ମଞ୍ଚ ଉପସ୍ଥାପକ ଓମପ୍ରକାଶ ମାଝୀ ଦେବଗିରି କଳା ସମ୍ମାନ-୨୦୨୨ ପ୍ରାପ୍ତ ହୋଇଛନ୍ତି । ଗୋଲାମୁଣ୍ଡା ବ୍ଲକ୍ ଘୋଟିଆ ଗ୍ରାମର ଅମିତ ସଂପ୍ରତି ବଡ଼ଚେରଗାଁ କ୍ଲଷ୍ଟରର ସିଆରସିସି ଭାବେ କାର୍ଯ୍ୟରତ । ଶିକ୍ଷା ବିଭାଗର ଅନେକ ତାଲିମରେ ସେ ସାଧନକର୍ମୀ ଭାବେ କାର୍ଯ୍ୟ କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ଜିଲ୍ଲାର ନାଁ ଉଜ୍ଜ୍ବଳ କରିଛନ୍ତି । ଅନ୍ୟତମ ଯୁବ ଶିକ୍ଷାବିତ୍ ଜିତେନ୍ଦ୍ର ବିଶ୍ୱାଳ ମଧ୍ୟ ଜଣେ ସାଧନକର୍ମୀ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ କୋଭିଡ ମହାମାରୀ ସମୟରେ ୟୁଟ୍ୟୁବ କ୍ଳାସ୍, ଏନ୍ଏଏସ୍ ଆଦି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଶିକ୍ଷାର ଉନ୍ନତି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି । ସଂପ୍ରତି ସେ ନର୍ଲା ବ୍ଲକର ଉଲିକୁପା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ସେହିପରି ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧାର ଯୁବ ମିମିକ୍ରି କଳାକାର ଓମପ୍ରକାଶ ମାଝୀ ବିଭିନ୍ନ ଅଭିନେତା, ଯାନବାହନ, ପଶୁପକ୍ଷୀ ଆଦିଙ୍କ ସ୍ୱର ଅନୁକରଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ଗୀତ ଗାଇବାରେ ମଧ୍ୟ ରୁଚି ରଖନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବର ଦ୍ବିତୀୟ ଦିବସ ସମାରୋର ଉଦଘାଟକ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ନୂଆପଡ଼ା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ ନାଗ, ସମ୍ମାନିତ ଅତିଥି କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଯୁବ ଉଦ୍ୟୋଗପତି ଧିରେନ୍ଦ୍ର ଖେତାନ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ, ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡାମାଝୀ ପ୍ରମୁଖ ମଞ୍ଚାସୀନ ରହି ଏହି ତିନି ପ୍ରତିଭାବାନ ଯୁବ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରିଥିଲେ ।