ମହାବିଷୁବ ସଂକ୍ରାନ୍ତି ସନାତନ ଧର୍ମ ପରମ୍ପରାର ଏକ ବିଶିଷ୍ଟ ପର୍ବ । ଓଡିଶା ସମେତ ଭାରତବର୍ଷର ଅନେକ ଅଞ୍ଚଳରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ଓଡିଶାରେ ଏହା ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଭାବେ ଖ୍ୟାତ । ଏହା ହେଉଛି ଓଡିଆ ନବବର୍ଷର ପ୍ରଥମ ଦିନ । ଏହି ଦିନ ନୂଆ ପାଞ୍ଜି ଗ୍ରହଣ କରାଯାଏ । ଏହି ମହାନପର୍ବକୁ ନେଇ ପଢନ୍ତୁ ଅଧ୍ୟାପିକା ଡକ୍ଟର ମମତା କୁମାରୀ ତ୍ରିପାଠୀ ଙ୍କ ଏକ ସୁନ୍ଦର ଆଲେଖ୍ୟ ‘ ଉତ୍କଳୀୟ ସଂସ୍କୃତିରେ ମହାବିଷୁବ ସଂକ୍ରାନ୍ତୀ ’ ।
ପର୍ବପର୍ବାଣୀ ହେଉଛି ସାମଜିକ ଜୀବନର ଏକ ଅଙ୍ଗ ସଦୃଶ । ଯେଉଁଦିନଠାରୁ ଅରଣ୍ୟଚାରୀ ମନୁଷ୍ୟ ନିଜର ଯାଯାବର ଜୀବନକୁ ପରିହାର କରି ଗୋଷ୍ଠୀ ବଦ୍ଧ ଜୀବନ ଯାପନ କରିବାକୁ ଆରମ୍ଭ କଲା ସେହିଦିନ ଠାରୁ ସୃଷ୍ଟି ହେଇଛି ନାନା ପ୍ରକାର ଓଷା ବ୍ରତ, ପର୍ବପର୍ବାଣୀ ଓ ଉତ୍ସବ ମହୋତ୍ସବ ଇତ୍ୟାଦି ।
ପ୍ରାଚୀନ ସଭ୍ୟ ଓ ସଂସ୍କୃତି ସପନ୍ନ ରାଜ୍ୟ ଭାବେ ଉତ୍କଳ ଭୂମି ସମଗ୍ର ଭାରତବର୍ଷରେ ଖ୍ୟାତିଲାଭ କରିଅଛି । କେଉଁ ଅନାଦିକାଳରୁ ଏଠାରେ ପର୍ବପର୍ବାଣୀ ସବୁ ପାଳିତ ହୋଇଆସୁଅଛି । ଉତ୍କଳୀୟ ସଂସ୍କୃତିରେ ପର୍ବପର୍ବାଣୀ ଗୁଡ଼ିକ ଆମ ସାମାଜିକ ସ୍ଥିତିକୁ ପ୍ରେରଣା ଦେବା ସହିିତ ଜୀବନଧାରାକୁ ସରଳ, ସୁନ୍ଦର ଓ ପରିମାର୍ଜିତ କରିଥାଏ । ଏହ ମନୁଷ୍ୟ ମଧ୍ୟରେ ଥିବା ଆସୁରିକ ପ୍ରବୃତ୍ତିକୁ ବଳିଦେଇ ଦେବତ୍ୱ ଭାବକୁ ଜାଗ୍ରତ କରିଥାଏ ।
ମହାବିଷୁବ ସଂକ୍ରାନ୍ତି : ଭିନ୍ନ ସ୍ଥାନ ଭିନ୍ନ ନାମ
ଉତ୍କଳୀୟ ସଂସ୍କୃତିରେ ସାମାଜିକ ପରଂପରାକୁ ନେଇ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ “ମହାବିଷୁବ ସଂକ୍ରାନ୍ତି” ଅନ୍ୟତମ । ଏହାକୁ ଓଡିଶାରେ ମହାବିଷୁବ ସଂକ୍ରାନ୍ତି ବା ” ପଣା ସଂକ୍ରାନ୍ତି ” ବୋଲି କୁହାଯାଇଥାଏ । କେବଳ ଓଡ଼ିଶାରେ ନୁହେଁ ଭାରତବର୍ଷର ବିଭିନ୍ନ ରାଜ୍ୟରେ ମଧ୍ୟ ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ । ବଙ୍ଗଳାରେ ବଙ୍ଗାଳୀମାନେ ଏହାକୁ “ପହିଲା ବୈଶାଖ”, ତାମିଲନାଡ଼ୁରେ ତାମିଲମାନେ “ପୁଆଣ୍ଡୁ” ଅହମିୟାମାନେ “ବିହୁ” ଓ କେରଳରେ କେରଳୀମାନେ ଏହାକୁ “ବିଷୁ” ଭାବରେ ପାଳନ କରିଥାନ୍ତି ।
ମହା ବିଷୁବ ସଂକ୍ରାନ୍ତି : ସୂର୍ଯ୍ୟ ଦେବଙ୍କ ଗୁରୁତ୍ବ
ବୈଜ୍ଞାନିକମାନଙ୍କ ମତରେ ସୂର୍ଯ୍ୟ ପୃଥିବୀ ମଧ୍ୟ ଦେଇ କଳ୍ପିତ ହେଇଥିବା ବିଷୁବ ରେଖାର ଠିକ ଉପରକୁ ବର୍ଷ ମଧ୍ୟରେ ଦୁଇଥର ଆସନ୍ତି । ଏହି ଦୁଇଟି ଦନ ହେଉଛି ମାର୍ଚ
୨୧ ଓ ଡ଼ିସେମ୍ବର ୨୩ । ଏହି ଦୁଇଟି ଦିବସରେ ଦିନ ଓ ରାତି ୧୨ ଘଂଟା ଲେଖାଏଁ ହୋଇଥାଏ । ମାର୍ଚ୍ଚ ୨୧ ଓ ସେପ୍ଟେମ୍ବର ୨୩ର ପରବର୍ତ୍ତୀ ସଂକ୍ରାନ୍ତିମାନ ଯଥାକ୍ରମେ କାର୍ତ୍ତିକ ମାସରେ ଓ ବୈଶାଖ ମାସରେ ପଡ଼ିଥାଏ । କାର୍ତ୍ତିକ ମାସର ସଂକ୍ରାନ୍ତି “ଜଳବିଷୁବ” ଓ ବୈଶାଖ ମାସର ସଂକ୍ରାନ୍ତିକୁ “ମହାବିଷୁବ” ନାମରେ ପରିଚିତ ।
ପ୍ରାଚୀନ ବୈଦିକ ଯୁଗରେ ସୂର୍ଯ୍ୟ ଦେବତା ଯେତେବେଳେ ବିଷୁବ ବିନ୍ଦୁରେ ଅଧିଷ୍ଠିତ ହୁଅନ୍ତି ତାହା ବର୍ଷାରମ୍ଭ ବୋଲି ସ୍ୱୀକୃତି । ଜ୍ୟୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପ୍ରଥମେ ମେଷ ରାଶିରୁ ଗମନ କରିଥିବାରୁ ଏହା ବର୍ଷାରମ୍ଭ, “ବିଷୁବ ସଂକ୍ରାନ୍ତି” ବା ଉକ୍ରଳୀୟ ପରମ୍ପରାରେ “ପଣାସଂକ୍ରାନ୍ତି” ଭାବରେ କଥିତ ।
ଓଡିଆ ସଂସ୍କୃତିର ଧାରା : ବିଜ୍ଞାନ ସମ୍ମତ ଓ ଦୂରଦୃଷ୍ଟି ରହିତ
ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ସମୟରେ ସୂର୍ଯ୍ୟଙ୍କର ତାପ ପ୍ରଚଣ୍ଡ ଭାବରେ ବୃଦ୍ଧି ପାଉଥିବାରୁ ମଣିଷର ହଜମଶକ୍ତି ମଧ୍ୟ ବୃଦ୍ଧିପାଏ । ତେଣୁ କେତେକ ଅଞ୍ଚଳରେ ଗରିଷ୍ଠ ଖାଦ୍ୟ ରୂପେ ସ୍ୱିକୃତ ବୁଟ ଛତୁକୁ ଖାଆନ୍ତି ଓ ସ୍ନେହୀ ଜନଙ୍କ ମଧ୍ୟରେ ବିତରଣ କରନ୍ତି । ଏପରିକି ଏହି ଦିନ କେତେକ ଅଞ୍ଚଳରେ ତୁଳସୀ ଗଛ ଉପରେ ବସୁନ୍ଧରା ବାନ୍ଧି ତା ଦେହରେ ଗୋଟିଏ ଓଳି ବା ମାଟିର ଘଡ଼ିକୁ ଶିକାରେ ଝୁଲାଇ ତନ୍ମଧ୍ୟରେ ପାଣି ଓ ପଣା ଢଳାଯାଏ । ଘଡ଼ିର ନିମ୍ନଦେଶରେ ଗୋଟିଏ କ୍ଷୁଦ୍ର ରନ୍ଧ୍ରକରି ତନ୍ମଧ୍ୟରେ କୃଶଟିଏ ଖୋସିବା ଦ୍ୱାରା ଘଡ଼ିମଧ୍ୟରୁ ପାଣି ବିନ୍ଦୁ ବିନ୍ଦୁ ହୋଇ ସେହି ଗଛରେ ପତିତ ହୁଏ । ପ୍ରଚଣ୍ଡ ରୌଦ୍ରତାପ ହେତୁ ପେଟଗରମ ହେବାର ଆଶଙ୍କାକୁ ଆଖି ଆଗରେ ରଖି ଏହି ଦିନ କଦଳୀ,ଛେନା, ନବାତ, କର୍ପୁର,ଗୋଲମରୀଚ ଆଦି ପଦାର୍ଥକୁ କ୍ଷୀରରେ ପକାଇ ପଣା କରାଯାଏ । ଏହି ପଣାକୁ ପ୍ରଥମେ ବ୍ରାହ୍ମଣକୁ ଦିଆଯିବା ପରେ ଅନ୍ୟମାନଙ୍କ ମଧ୍ୟରେ ବିତରଣ କରାଯାଏ । ତେଣୁ ଉତ୍କଳରେ ଏହି ଦିନଟି ପଣା ସଂକ୍ରାନ୍ତି ଭାବେ ଆଦୃତ ।
ମହାବିଷୁବ ସଂକ୍ରାନ୍ତି : ମହାବୀର ହନୁମାନଙ୍କ ଆବିର୍ଭାବର ସମୟ ଓ ଜନ୍ମ ଜୟନ୍ତୀ
ଭବିଷ୍ୟ ପୁରାଣରେ ରାମଭକ୍ତ ମହାବୀର ହନୁମାନଙ୍କ ଆବିର୍ଭାବ ସଂପର୍କରେ ନାନାପ୍ରକାର ବର୍ଣ୍ଡନା ଥିଲେ ହେଁ ବେଦ, ତନ୍ତ୍ର, ଜ୍ୟୋତିଷ ଓ ରାମାୟଣ ଶାସ୍ତ୍ରାନୁସାରେ ମହାବୀର ହନୁମାନଙ୍କ ଆର୍ବିଭାବ ସମୟ ହେଉଛି ଏହି ପବିତ୍ର ବିଷୁବ ସଂକ୍ରାନ୍ତି । କିନ୍ତୁ କେତେକ ଅଞ୍ଚଳରେ ଏହି ସଂକ୍ରାନ୍ତକୁ ହନୁମାନ ଜୟନ୍ତୀରୁପେ ପାଳନ କରାଯାଏ । ଏହି ମାସରେ ବାୟୁର ଗତି ଅତି ପ୍ରଖର ହେଇଥିବାରୁ ଉଭୟ ବାୟୁ ଓ ଅଗ୍ନିଙ୍କ ପ୍ରକୋପରୁ ରକ୍ଷା ପାଇବା ନିମନ୍ତେ ହନୁମାନଙ୍କୁ ସନ୍ତୋଷ କରିବା ପାଇଁ ତାଙ୍କ ଜୟନ୍ତୀ ପାଳିତ ହୁଏ ।
ବାଲ୍ମିକୀ ରାମାୟଣରେ ବର୍ଣ୍ଣିତ ଅଛି ମହାବିଷୁବ ସଂକ୍ରାନ୍ତି ଦିନ ରାହୁ ସୂର୍ଯ୍ୟଙ୍କ ଗ୍ରାସ କରିବାକୁ ଚାହୁଁଥିଲା । ମାତ୍ର ହନୁମାନ ଆବିର୍ଭୁତ ହେଇ ସୂର୍ଯ୍ୟମଣ୍ଡଳରେ ପ୍ରବେଶ ହୋଇ ରାହୁର ଗତିରୋଧ କରିବା ଫଳରେ ସୂର୍ଯ୍ୟ ଓ ପୃଥିବୀ ରକ୍ଷା ପାଇଥିଲା । ତେଣୁ ଏହି ଦିନଠାରୁ ହିଙ୍ଗୁଳାପୂଜା କରାଯିବା ସହିତ ହନୁମାନ ଜୟନ୍ତୀ ପାଳନ କରାଯାଏ । ହନୁମାନ ସୂର୍ଯ୍ୟମଣ୍ଡଳରେ ଥାଇ ରାହୁର କରାଳ ପ୍ରବାହକୁ ପ୍ରତିହତ କରିଥିବାରୁ ବର୍ଷା ଆଗମନର ପଥମଧ୍ୟ ସୁଗମ ହେଇଥାଏ ବୋଲି କଥିତ ଅଛି ।
ପଣା ସଂକ୍ରାନ୍ତି : ଦଣ୍ଡ ଯାତ୍ରାର ଅନ୍ତିମ ଦିବସ
ଚୈତ୍ରମାସରୁ ଆରମ୍ଭ ହେଇଥିବା ଦଣ୍ଡଯାତ୍ରା ଦଣ୍ଡପର୍ବ ଏହି ବିଷୁବ ସଂକ୍ରାନ୍ତି ଦିନ ଉଦଯାପିତ ହୁଏ । ଏହି ଦଣ୍ଡଯାତ୍ରା ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଂଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଯାତ୍ରା ରୂପେ ସ୍ୱୀକୃତ । ଏତଦବ୍ୟତୀତ ସମତଳ ଅଂଚଳରେ ବିଷୁବ ସଂକ୍ରାନ୍ତିଦିନ ଝାମୁଯାତ୍ରା ବା ଝାମୁବ୍ରତ ପାଳିତ ହେଇଥାଏ । ଏହି ଯାତ୍ରା ଝଙ୍କଡ଼ର ସାରଳା,ବାଙ୍କିର ଚର୍ଚ୍ଚିକା, କାକଟପୁର ମଙ୍ଗଳା, ପୁରୀ ଛାଡ଼େଶ୍ୱରୀ ପୀଠରେ ଅତ୍ୟନ୍ତ ନିଷ୍ଠାର ସହିତ ବିଧିପୂର୍ବକ ପାଳନ କରାଯାଇଥାଏ ।
ମହାବିଷୁବ ସଂକ୍ରାନ୍ତିରେ ଅଶେଷ ପୂଣ୍ୟାର୍ଜନ ନିମନ୍ତେ ବ୍ରାହ୍ମଣ ଓ ଯାଚକମାନଙ୍କୁ ଦାନ ଦିଆଯାଏ । କେତେକ ଏହି ଦିନଠାରୁ “ଧାନ୍ୟବ୍ରତ” ଆରମ୍ଭ କରିଥାନ୍ତି । ଏଥିପାଇଁ ଆଠଟି ପଦ୍ମପତ୍ର ଉପରେ ଚନ୍ଦନରେ ସୂର୍ଯ୍ୟଙ୍କର ଅଷ୍ଟନାମ ଲେଖି ପଦ୍ମପଦ୍ର ଗୁଡ଼ିକୁ ବିଭିନ୍ନ ଦିଗ ଓ କୋଣରେ ରଖି ସୂର୍ଯ୍ୟଙ୍କୁ ଧ୍ୟାନ କରିଥାନ୍ତି । ପୂଜା ଶେଷରେ ବ୍ରାହ୍ମଣଙ୍କୁ ମିଷ୍ଠାନ୍ନ ଓ ଦାନଦ୍ୱାରା ଆପ୍ୟାୟିତ କରାଯାଇଥାଏ ।
ପଣା ସଂକ୍ରାନ୍ତି : ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନିତି
ବିଷୁବ ସଂକ୍ରାନ୍ତରେ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ କେତେକ ବିଧିବିଧାନ ପାଳିତ ହୁଏ । ଏହି ଦିନ ସକାଳ ଧୂପ ସରିବାପରେ ମହପ୍ରଭୂଙ୍କ ବାଡ଼ରୁ ଆଜ୍ଞାମାଳ ନିଆଯାଇ ଶ୍ରୀମନ୍ଦିର ଚାରିଦ୍ୱାରରେ ଥିବା ମହାବୀର ମାନଙ୍କୁ ଓ ବାରଭାଇ ମହାବୀରଙ୍କୁୂ ଦିଆଯାଏ ।
ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ମାନଙ୍କର ନୂଆବର୍ଷର ଆରମ୍ଭ ଦିବସରୂପେ ଗ୍ରହଣ କରାଯାଏ । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କରେ ବିଷୁବ ସଂକ୍ରାନ୍ତି ଦିନଟି ମଉଜମଜଲିସ, ସାହିତ୍ୟ ଚର୍ଚ୍ଚା, ପଣାସେବନ ଓ ଆମୋଦପ୍ରମୋଦ ମଧ୍ୟରେ ପାଳିତ ହୁଏ ।
ବଞ୍ଚିରହୁ ପରମ୍ପରା
ଉଗ୍ର ଆଧୁନିକତା ପ୍ରତିଯୋଗୀତା ମୂଳକ ଜୀବନଯାପନ ତଥା ବସ୍ତୁବାଦୀ ଦୁନିଆର ସାଂପ୍ରତିକ ମଣିଷ ତାର ପରମ୍ପରା ଓ ସଂସ୍କୃତିକୁ ଭୁଲିଯାଇଥିବାବେଳେ ଗାଁ ଗହଳିରେ ବାସକରୁଥିବା ସାଧାରଣ ମଣିଷଟିଏ ଗୃହାଙ୍ଗନରେ ଥିବା ବୃନ୍ଦାବତୀ ଚଉରା ଉପରେ ପଣାଘଡ଼ିଟିଏ ଟାଙ୍ଗିଦେଇ ନିଜର ଐତିହ୍ୟକୁ ବଞ୍ଚାଇ ରଖିଛି । ଓଡ଼ିଆ ନବବର୍ଷରେ ଆଧୁନିକ ଓଡ଼ିଆମାନେ ଓଡ଼ିଆର ପରମ୍ପରା ଓ ସଂସ୍କୃତିକୁ ଭୂଲିଯାଇ ନବବର୍ଷର ଆରମ୍ଭକୁ ଜାନୁୟାରୀ ମାସରୁ ଗ୍ରହଣ କରି ତାର ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ସାଦରେ ଅଭିନନ୍ଦନ ଜଣାଉଛି । ଓଡ଼ିଆନବବର୍ଷରେ ଦେବଆରାଧନା, କବିତାପାଠୋତ୍ସବ, ନୂତନ ପଞ୍ଜିକା ପାଠ, ପ୍ରପାନକ ସେବନରେ କେତେକ ବ୍ୟସ୍ତ ରହିବାବେଳେ ଆଧୁନିକ ଓଡ଼ିଆମାନେ ନିଜର ନୂଆବର୍ଷର ଆଗମନକୁ ବିସ୍ମରଣ କରୁଛନ୍ତି । ପରିତାପର ବିଷୟ ଯେଉଁ ବିଷୁବ ସଂକ୍ରାନ୍ତି ଓଡ଼ିଆ ଜାତିର ନୂଆବର୍ଷର ଆରମ୍ଭ ରୂପେ ସ୍ୱୀକୃତ ତାକୁ ଯେଉଁଭଳି ଭାବରେ ଉତ୍ସବ ଓ ଉପଚାର ମଧ୍ୟରେ ରୁପାନ୍ତରିତ କରୁଛନ୍ତି ତାହାଦ୍ୱାରା ଓଡ଼ିଆ ମାନବିକତାର ବାସ୍ତବ ପରିପ୍ରକାଶ ଘଟିପାରୁନାହିଁ । କୌଣସି ପ୍ରକାରେ ଆମେ ଆମ ଚିନ୍ତରାଜ୍ୟରେ ଯେନତେନ ପ୍ରକାରେଣ ଏହି ଉତ୍ସବଟିକୁ ପାଳନ କରୁଛୁ । ତାହା ଫଳରେ ଆମର ଚିନ୍ତା, ଚେତନା ଓ ଆଚରଣ ମଧ୍ୟରେ ସୃଷ୍ଟି ହେଉଛି ଏକ ବିରାଟ ବ୍ୟବଧାନ ।
ଏତଦବ୍ୟତୀତ ଓଡ଼ିଆ ନବବର୍ଷରେ ବନ୍ଧୁବାନ୍ଧବ ତଥା ସ୍ନେହୀ ଜନଙ୍କୁ ସାଦର ଅଭିନନ୍ଦନ ଜଣାଇବା ପାଇଁ ଆମେ ଭୁଲିଯାଉଥିବାବେଳେ ଇଂରାଜୀ ନବବର୍ଷର ଆଗମନ ପୂର୍ବରୁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିନେବା ପାଇଁ ବ୍ୟସ୍ତ ରହୁଛୁ । କେବଳ ସେତିକିନୁହେଁ ଆମର ନିଜସ୍ୱ ସଂସ୍କୃତି ଓ ମାତୃଭାଷା ପ୍ରତି ନାସିକା କୁଞ୍ଚନ କରିବାବେଳେ ବିଦେଶୀ ସଂସ୍କୃତି ଓ ଭାଷାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ନିଜକୁ କୃତ୍ୟ କୃତ୍ୟ ମନେକରୁଛୁ । ତେଣୁ ଆଜିର ଏହି ବିଷୁବ ସଂକ୍ରାନ୍ତିରେ ଯଦି ମାତୃଭୂମି, ମାତୃଭାଷା ଓ ଓଡ଼ିଆ ସଂସ୍କୃତିକୁ ସମ୍ମାନ ସହିତ ବଜାୟ ରଖିବାକୁ ଚେଷ୍ଟା କରିବା ତାହାହେଲେ ଏକବିଂଶ ଶତାବ୍ଦୀର ଏହି ବିଷୁବ ସଂକ୍ରାନ୍ତି ଆମପାଇଁ କେବଳ ସ୍ମରଣୀୟ ହେଇରହିବନି ବରଂ ପଥପ୍ରଦର୍ଶକ ହେଇପାରିବ ।
ଡ଼କ୍ଟର ମମତା କୁମାରୀ ତ୍ରିପାଠୀ
ଅଧ୍ୟାପିକା, ଓଡ଼ିଆ ବିଭାଗ
ମ.ରାମପୁର ମହାବିଦ୍ୟାଳୟ,କଳାହାଣ୍ଡି
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇