ସହଯୋଗର ହାତ ବଢ଼ାଇଲା ନର୍ଲା ଡ୍ରାଇଭର ମହାସଂଘ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡାର ସ୍ୱର୍ଗତ ବିଶ୍ୱମ୍ବର ଭୋଇଙ୍କ ଏକଦଶାହ ଉପଲକ୍ଷେ ନର୍ଲା ଯାଦବ ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ନର୍ଲା ବ୍ଲକ ଯାଦବ ସମିତିର ଉପସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ଗଉଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯାଦବ ସମାଜର ବରିଷ୍ଠ ସଦସ୍ୟ ବୃନ୍ଦ ମଧୁସୁଦନ ରାଉତ, ବିଷ୍ଣୁ ଗହୀର ପ୍ରମୁଖଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ଯାଦବ ସମାଜର ମହିଳା ମାନେ ମଧ୍ୟ ଉପସ୍ଥିତ ଥିଲେ । ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଲାଞ୍ଜିଗଡ କଲେଜର ଅଧ୍ୟାପକ ତଥା ଜୟଦୁର୍ଗା ନାଟ୍ୟ ପରିଷଦର ନର୍ଲାରୋଡର ସଭାପତି ସରୋଜ ଜେନା, ଜୟଦୁର୍ଗା ହାଇସ୍କୁଲର କର୍ମଚାରୀ ତଥା ନାଟ୍ୟ ପରିଷଦର ସାଧାରଣ ସମ୍ପାଦକ ଚକ୍ରଧର ସା, ବରିଷ୍ଠ ସଦସ୍ୟ ପଙ୍କଜ ପଧାନ, ବୀରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ବିଶ୍ୱମ୍ବର ଭୋଇ(ହୃଷି) ସର୍ଗିଗୁଡା ଓ ନର୍ଲାରୋଡରେ ମଞ୍ଚସ୍ଥ ୨୦ ରୁ ଉର୍ଦ୍ଧ୍ବ ନାଟକରେ ହାସ୍ୟ କଳାକାର ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମଧ୍ୟରେ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ସେ ନର୍ଲାରୋଡ ଜୟଦୁର୍ଗା ନାଟ୍ୟ ପରିଷଦର ବରିଷ୍ଠ କର୍ମକର୍ତ୍ତା ରହିଥିଲେ । ଆଜି ତାଙ୍କର ଏକାଦଶାହରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଭୋଇଙ୍କ ସ୍ମୃତି ଚାରଣ କରାଯାଇଥିଲା । ଯାଦବ ସମାଜର ଉପସଭାପତି ଗିରିଧାରୀ ଗଉଡ ବିଶ୍ୱମ୍ବର ଭୋଇଙ୍କ କାର୍ଯ୍ୟକଳାପ ଓ ଗାଁ ପ୍ରତି ଅବଦାନ ନେଇ ସେ ସବୁଦିନ ପାଇଁ ଅମର ରହିବେ ବୋଲି କବିତା ମାଧ୍ୟମରେ କହିଥିଲେ । କବି ମଧୁସୁଦନ ରାଉତ ମଞ୍ଚ ପରିଚାଳନା କରିଥିଲେ ।
ସ୍ୱର୍ଗତ ବିଶ୍ୱମ୍ବର ଭୋଇ ବୃତ୍ତିରେ ଜଣେ ଉଚ୍ଚ କୋଟୀର ଡ୍ରାଇଭର ଥିଲେ । ଏଣୁ ଶ୍ରଦ୍ଧାଞ୍ଜଳି ସଭାରେ ନର୍ଲା ଡ୍ରାଇଭର ମହାସଂଘ ପକ୍ଷରୁ କୋଷାଧ୍ୟକ୍ଷ ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ସଭାପତି ବିମନ୍ତ ପଧାନ, ଉପସଭାପତି ରବି, ସମ୍ପାଦକ ଦାସରଥି, ସହ ସମ୍ପାଦକ ଯଶୋବନ୍ତ, ଉପଦେଷ୍ଟା ନବୀନ ପ୍ରମୁଖ ସ୍ୱର୍ଗତ ଭୋଇଙ୍କ ସହଧର୍ମିଣୀ ପଙ୍କଜିନୀ ଭୋଇଙ୍କୁ ୧୦,୦୦୦ ଟଙ୍କା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଡ୍ରାଇଭର ସଂଘ ତରଫରୁ ସମ୍ପାଦକ ଅକ୍ଷୟ ନାଗଙ୍କ ନେତୃତ୍ୱରେ ସଭାପତି ପ୍ରସନ୍ନ ଓଝା ଏବଂ ଡ୍ରାଇଭର ସଂଘର ସଦସ୍ୟ ମାନଙ୍କ ଗହଣରେ ୫,୦୦୦ ଟଙ୍କା ପ୍ରଦାନ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ସ୍ୱର୍ଗତ ଶ୍ରୀ ଭୋଇ କର୍କଟ ରୋଗରେ ପୀଡିତ ଥିଲେ । ସେହି ସମୟରେ ମଧ୍ୟ ନର୍ଲା ଡ୍ରାଇଭର ମହା ସଂଘ ତରଫରୁ ତାଙ୍କର ଚିକିତ୍ସା ପାଇଁ ୫,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସ୍ବର୍ଗତ ଭୋଇଙ୍କ ପୁଅ, ପୁତୁରା, ବଡଭାଇ ମକରଧ୍ୱଜ ଭୋଇ, ସାନଭାଇ ନବଘନ ଭୋଇ ତଥା ଭୋଇ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶୋକାକୂଳ ପରିବେଶ ମଧ୍ୟରେ ଶ୍ରଦ୍ଧାଞ୍ଜଳି ସଭା ସମ୍ପନ୍ନ ହୋଇଥିଲା ।