କନ୍ଧମାଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା : ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ, ଓଡ଼ିଶା ସରକାର ଚଲାଉଛି କିଏ ?

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ଜାଲେଶପଟ୍ଟା ଦଳୀୟ ସମାବେଶରେ ଯୋଗ ଦେଇ ଜେ.ପି ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଚାବି କୁଆଡେ ଗଲା ? ଓଡ଼ିଆ ବିଶ୍ୱବିଦ୍ୟାଳୟ ଘୋଷଣା, କୁଆଡ଼େ ଗଲା ନୟାଗଡ଼ ଚିନିକଳ ଆଦି ଏମିତି ଅନେକ ପ୍ରସଙ୍ଗରେ ଜବାବ ମାଗିଛନ୍ତି । ସେହିପରି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଥିବା ନଡ୍ଡା କହିିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେଡିର ଶତାୟୁ ପ୍ରସଙ୍ଗରେ ଜବାବ ରଖିଛନ୍ତି ।

ଓଡ଼ିଶା ସରକାର ଚଲାଉଛି କିଏ ? ରତ୍ନଭଣ୍ଡାର ଚାବି ଗଲା କୁଆଡ଼େ ? କୁଆଡ଼େ ଗଲା ଓଡ଼ିଆ ବିଶ୍ୱବିଦ୍ୟାଳୟ ? କୁଆଡ଼େ ଗଲା ନୟାଗଡ଼ ଚିନିକଳ ? ରକ୍ଷକ ଏଠି ଅସୁରକ୍ଷିତ, ସୁରକ୍ଷା ଦେବ କିଏ ? ସିଧାସଳଖ ଟାର୍ଗେଟ୍ । ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର । ଘନଘନ ପ୍ରଶ୍ନ, ଏକାଧିକ ପ୍ରସଙ୍ଗରେ ସମାଲୋଚନା । ଏହି ସମାଲୋଚନା ପଛରେ କେବଳ ଯେ, ରାଜ୍ୟ ସରକାରଙ୍କୁ ଘେରିବାର ଲକ୍ଷ୍ୟ ରଖିଛି ବିଜେପି, ତାହା ନୁହେଁ । ବରଂ ଜେପି ନଡ୍ଡାଙ୍କ ଏହି ପ୍ରଶ୍ନବାଣ ପଛରେ ରହିଛି ୨୦୨୪ ପାଇଁ ରଣନୀତି । ତାହା ହୋଇନଥିଲେ, ବିଜେପି ଗୋଟି ଗୋଟି କରି ସେହି ସବୁ ପ୍ରସଙ୍ଗ ଉଠାଇଥାନ୍ତା କେମିତି ଯାହାକୁ ନେଇ ଶାସକ ବିଜେଡି ଦଳ ହରଡ଼ ଘଣାରେ ପଡ଼ିଛି । ଆୟୁଷ୍ମାନ ଯୋଜନାରେ ଓଡ଼ିଶା ସାମିଲ ନହେବା । ଏନସିଆରବି ରିପୋର୍ଟକୁ ସାମ୍ନାରେ ରଖି ମହିଳା ନିର୍ଯାତନା ଓ ମାନବ ଚାଲାଣ ପ୍ରସଙ୍ଗ ଉଠାଇବା । ଓଡ଼ିଶା ପୁଲିସ ଉପରେ ଆକ୍ରମଣ କଥା ଉଠାଇ, ପୁଲିସର ସୁରକ୍ଷା କଥା କହିବା, ସ୍ପଷ୍ଟ କରିଦେଉଛି ଯେ, ବିଜେଡି ସହ ମୁକାବିଲା କରିବା ପାଇଁ ବଡ଼ ଯୋଜନା କରୁଛି ଭାରତୀୟ ଜନତା ପାର୍ଟି ।

ଏସବୁ ଭିତରେ ଗୋଟିଏ ପାଦ ଆଗକୁ ଯାଇ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଉତ୍ତର ଦେବା ସହ ପାଲଟା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟଦଳ ଗୁଡ଼ିକର ଫୋକସରେ ଓଡ଼ିଶାର ଉନ୍ନତି ନଥିବା ନେଇ ଯେଉଁ ଅଭିଯୋଗ କରିଥିଲେ, ଓଡ଼ିଶାର ଉନ୍ନତି ପାଇଁ ବିଜେପି କ’ଣ ସବୁ କରିଛି ତାର ଏକ ଲମ୍ବା ତାଲିକା ରଖିଛନ୍ତି । ସେହିପରି ବିଜେଡିର ଶତାୟୁ ପ୍ରସଙ୍ଗରେ ବି ମତ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ ରାଜନୀତିର ଏହି ବୟାନବାଜୀ ଭିତରେ ଦେଖିବାର କଥା ଆଗାମୀ ସାଧାରଣ ନିର୍ବାଚନରେ ଜନତା ମନ ଜିଣିବାରେ ଭାରତୀୟ ଜନତା ପାର୍ଟି କେତେ ସଫଳ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.