ବଜେଟ୍ ଅଧିବେଶନକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ:  ପ୍ରଥମ ଥର ପାଇଁ ବଜେଟ୍ ଅଧିବେଶନକୁ ଉଦଘାଟନ କରିବାକୁ ଯାଉଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଜାନୁଆରୀ ୩୧ତାରିଖରେ ଆରମ୍ଭ ହେବ ସଂସଦ ଅଧିବେଶନ । ଫେବୃଆରୀ ୧ ତାରିଖରେ ବଜେଟ ଉପସ୍ଥାପନ ହେବ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ୩୧ରୁ ଫେବୃଆରୀ ୧୦ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୬ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୧ ତାରିଖରେ ରାଷ୍ଟ୍ରପତି ମୁର୍ମୁ ସଂସଦର ଉଭୟ ଗୃହର ଏକ ମିଳିତ ବୈଠକରେ ଉଦବୋଧନ ଦେବା ସହିତ ବଜେଟ୍ ଅଧିବେଶନର ଶୁଭାରମ୍ଭ କରିବେ । ସେଦିନ ସଂସଦରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ୧ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ । ଏହା ଉପରେ ତିନି ଦିନ ଆଲୋଚନା ହେବା ପରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ । ମୋଦୀ ସରକାର ୨.୦ରେ ନିର୍ମଳା ସୀତାରମଣ ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବାର କାର୍ଯ୍ୟକ୍ରମ ରହିଛି । ଅର୍ଥ ବିଲ୍ ସମେତ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ଏହି ଅଧିବେଶନ କାଳରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.