ଓଡ଼ିଆ ବାର୍ତ୍ତା/ ପୁରୀ: କବିତା ଝଙ୍କାର ସାହିତ୍ୟ କଳା ଏବଂ ସଂସ୍କୃତି ପରିଷଦ ସମ୍ବଲପୁର ଦ୍ଵାରା ଆଜି ପୁରୀ ଠାରେ ଦିତ୍ୱୀୟ ବାର୍ଷିକ କବିତା ଝଙ୍କାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଯୁବ କବି ପଞ୍ଚାନନ ଜାଲ (ସୌରଭ) ରସ ମାଧୁରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ଧଙ୍ଗଡାମାଝୀ ଓ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ସୁପୁତ୍ର ତଥା ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ ଓ ସାହିତ୍ୟିକ ସୁଧିର କୁମାର ଧଙ୍ଗଡାମାଝୀଙ୍କ ଭଣଜା ସୌରଭ ଜଣେ ଯୁବକବି ଭାବେ ତାଙ୍କର ଲେଖନୀ ଚାଳନା ଜାରି ରଖିଛନ୍ତି। ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ପୂରାତନ ଓ ଆଧୁନିକ ଯୁଗୀୟ ଶୈଳୀ ସମ୍ରିଶଣରେ ଶ୍ରୀ ଜାଲ କବିତା ରଚନା କରିଥାନ୍ତି, ଯାହା ଓଡ଼ଆ ସାହିତ୍ୟ ଜଗତ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାସହ ପାଠକୀୟ ଆଦୃତି ଲାଭ କରିବାରେ ସକ୍ଷମ ହୋଇଛି। ଆଜିର ଏହି ସମାରୋହରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ଼ଃ. ସଂଗ୍ରାମ କେଶରୀ ସାମନ୍ତରାୟ, ଡ଼ଃ. ରଘୁନାଥ ମେହେର, ଡ଼ଃ. ସସ୍ମିତା ମିଶ୍ର, ଲିଲି ପଟେଲ, ନିତ୍ୟାନନ୍ଦ ଖାମାରି, ଅନୁଷ୍ଠାନର ସଭାପତି କୃଷ୍ଣ ଚନ୍ଦ୍ର ବାରିକ ଏବଂ ପ୍ରତିଷ୍ଟାତା ଶିବାତ୍ମକ ପଣ୍ଡା ମଞ୍ଚାସିନ ରହି ଶ୍ରୀ ଜାଲଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରିଥିଲେ। ଏଥିରେ ଓଡ଼ିଶାର କୋଣ ଅନୁକୋଣରୁ ବିଶିଷ୍ଟ କବିମାନେ ଯୋଗଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ପତ୍ରିକା ‘ହିତ୍ୟାଶା’ ଉନ୍ମୋଚନ ହୋଇଥିଲା। ପରିଶେଷରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।