ବିଶ୍ୱକପରେ ଭାରତର ସ୍ୱପ୍ନ ବାରମ୍ବାର ଭାଙ୍ଗୁଛି ନ୍ୟୁଜିଲାଣ୍ଡ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ଭାରତ ପେନାଲ୍ଟି ଶୁଟ ଆଉଟରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଛି । ଏଥିସହ ୧୯୭୫ ପରେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ତେବେ ସବୁଠାରୁ ମଜା କଥା ସେ ହକି ହେଉ କିମ୍ବା କ୍ରିକେଟ ଭାରତ ବିଶ୍ୱକପ ଜିତିବା ପଥରେ ନ୍ୟୁଜିଲାଣ୍ଡ ବାରମ୍ବାର ବାଧକ ସାଜୁଛି ।

୨୦୧୯ ପରଠାରୁ ୪ଥର କିୱି ଟିମ ଭାରତ ସ୍ୱପ୍ନ ଧୂଳିସାତ କରିଛନ୍ତି । ୨୦୨୩ ହକି ବିଶ୍ୱକପରେ ଭାରତ ଏତେ ସହଜରେ ବିଦା ହୋଇଯିବ କେହି ଭାବି ନ ଥିଲେ । ଟିମ ଇଣ୍ଡିଆର ପ୍ରଦର୍ଶନ ବି କିଛି ଖରାପ ନ ଥିଲା । ରେକର୍ଡ ଏବଂ ପ୍ରଦର୍ଶନ ବିଚାରକୁ ନେଲେ ଭାରତ ପଲା ଭାରି ଥିଲା । ହେଲେ ଶେଷରେ ଭୁବନେଶ୍ୱର ଆମକୁ ନିରାଶ ହେବାକୁ ପଡିଥିଲା ।

୨୦୨୧ ଟି୨୦ ବିଶ୍ୱକପ କ୍ରିକେଟରେ ମଧ୍ୟ ଟୁର୍ଣ୍ଣାମେଂଟରେ ତିଷ୍ଠି ରହିବା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବିଜୟ ହାସଲ କରିବା ଜରୁରୀ ଥିଲା । ମାତ୍ର ଏହା ହେଲା ନାହିଁ ନ୍ୟୁଜିଲାଣ୍ଡଠାରୁ ହାରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହା ପରେ ସମସ୍ତ ମ୍ୟାଚ ଜିତିଥିଲେ ମଧ୍ୟ ଭାରତ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା । ସେହିପରି ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲ ମଧ୍ୟ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା । ମାତ୍ର ରସ ଟେଲରଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ସହାୟତାରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଜିତି ନେଇଥିଲା । ଭାରତର ଟେଷ୍ଟ ଚାମ୍ପିୟନ ହେବା ସ୍ୱପ୍ନ ସାକାର ହୋଇପାରି ନ ଥିଲା ।

୨୦୧୯ ଦିନିକିଆ ବିଶ୍ୱକପ କ୍ରିକେଟରେ ମଧ୍ୟ ଭାରତ ପାଇଁ ନ୍ୟୁଜିଲାଣ୍ଡ ଅସୁବିଧା ସୃଷ୍ଟି କରିଥିଲା । ଟୁର୍ଣ୍ଣାମେଂଟରେ ଭାରତ ଭଲ ଲୟରେ ଥିଲା । ସେମିଫାଇନାଲରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ପରେ ବର୍ଷା ହୋଇଥିଲା । ଏହା ପରଦିନ ମ୍ୟାଚ ଅଧାରୁ ଖେଳା ଯାଇଥିଲା । ନ୍ୟୁଜିଲାଣ୍ଡ ଭାରତକୁ ହରାଇ ଦେଇଥିଲା ଏବଂ ଟିମ ଇଣ୍ଡିଆର ସ୍ୱପ୍ନ ସାକାର ହୋଇପାରି ନ ଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.