ସାମାଜିକ ପ୍ରତିବନ୍ଧକ ସହ ଲଢି ବିଧବା ମା’ଙ୍କର ଦ୍ୱିତୀୟ ବିବାହ କରାଇଲା ପୁଅ


କୋହ୍ଲାପୁର: ସମାଜ କ’ଣ କହିବ ସେଥିପାଇଁ ଖାତିର ନ ଥିଲା । ତାଙ୍କ ପରାମ୍ପରାର ଗୌରବ ବଢିବ କି କମିବ ସେ ହିସାବ ସେ କରି ନ ଥିଲେ । ସେ କେବଳ ଶୁଣିଥିଲେ ନିଜ ହୃଦୟର କଥା । ତାଙ୍କ ଆଖି ଆଗରେ ନାଚି ଯାଉଥିଲା ମା’ଙ୍କ ମୁହଁ । ସେ କେବଳ ଭାବୁଥିଲେ ମା’ କେମିତି ଖୁସି ହେବ, ତା ମୁହଁରେ ହସ ଫେରିବ । ସେଥିପାଇଁ  ସେ ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ଦ୍ୱିତୀୟ ବିବାହ କରାଇବା ପାଇଁ ଆଗେଇ ଆସିଥିଲେ ।

କୋହ୍ଲାପୁରର ଏଇ ଯୁବକ ଜଣକ ଭାବିଥିଲେ ନିଜ ବିଧବା ମା’ଙ୍କ ପାଇଁ ସାଥୀଟିଏ ଦରକାର । ତେଣୁ ସାମାଜିକ କୁପ୍ରଥା ସହ ଲଢିବା ପାଇଁ ସେ ମା’ଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି । ୨୩ ବର୍ଷୀୟ ଯୁବରାଜ ଶେଲେ । ୫ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ନିଜ ବାପାଙ୍କୁ ହରାଇଥିଲେ । ବାପାଙ୍କର ଏପରି ଅକାଳ ବିୟୋଗ ମା ରତ୍ନା (୪୫ ବର୍ଷ)ଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ।

ଯୁବରାଜ କହିଛନ୍ତି, ଯେତେବେଳେ ମାତ୍ର ୧୮ ବର୍ଷ ବୟସର ହୋଇଥିଲା ସେତେବେଳେ ବାପାଙ୍କୁ ହରାଇବା ମୋ ପାଇଁ ଏକ ଶକ୍ତ ଧକ୍କା ଥିଲା । ତେବେ ଏହାର ପ୍ରଭାବ ମା’ଙ୍କ ଉପରେ ବେଶି ପଡିଲା । ସେ ଖୁବ ଏକାକୀ ହୋଇଗଲେ ଏବଂ ସମାଜ ସହ ଏକା ଏକା ଲଢି ଥକି ଯାଇଥିଲେ ।

ସେ ଦେଖିଲେ, ପିତାଙ୍କ ମୃତ୍ୟୁ ପରେ ତାଙ୍କ ମା’ଙ୍କୁ ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଆମନ୍ତ୍ରଣରେ ବି ପାତର ଅନ୍ତର କରାଯାଉଥିଲା । ଏସବୁ ମା’ଙ୍କ ଉପରେ ମାନସିକ ପ୍ରଭାବ ପକାଉଥିଲା । ମା’ ତାଙ୍କର ପଡୋଶୀଙ୍କ ସହ ମିଶିବା ବନ୍ଦ କରିଦେଲେ । ଏପରିକି ଏକୁଟିଆ ରହିବାକୁ ଅଧିକ ପସନ୍ଦ କଲେ ।

କୋହ୍ଲାପୁର ପରି ସହରରେ ସମ୍ପର୍କୀୟ, ବନ୍ଧୁବାନ୍ଧବ ଏବଂ ପଡୋଶୀଙ୍କୁ ବୁଝାଇବା ସହଜ ନ ଥିଲା । ଶେଷରେ କିଛି ସାଙ୍ଗ ଏବଂ ବନ୍ଧୁବାନ୍ଧବଙ୍କ ସହାୟତାରେ ମା’ଙ୍କ ପାଇଁ ଜୀବନସାଥୀ ଖୋଜିବା ଆରମ୍ଭ କରିଦେଲେ । ଶେଷରେ ସେ ମାରୁତି ଘନବଟ ନାମକ ଜଣେ ବ୍ୟକ୍ତି ବିବାହ କରିବାକୁ ଆଗେଇ ଆସିଥିଲେ ।

ଏହି ଦିନ ମୋ ପାଇଁ ଏକ ବିଶେଷ ଦିନ ଥିଲା । କାରଣ ମୁଁ ମା’ଙ୍କ ପାଇଁ ଏକ ସଠିକ ଜୀବନସାଥୀ ପାରିଛି ।  ଅନ୍ୟପକ୍ଷେ ଘନବଟ କହିଛନ୍ତି, ମୁଁ କିଛି ବର୍ଷ ଧରି ମୁଁ ଏକୁଟିଆ ଥିଲା । ରତ୍ନାଙ୍କ ସହ ମିଶିବା ପରେ ଏବଂ କଥା ହେବା ପରେ ମୋତେ ଲାଗିଲା ଯେ ମୁଁ ଏହି ପରିାବର ସହ ରହିପାରିବି  । ସେହିପରି ରତ୍ନାଙ୍କ ପାଇଁ ମଧ୍ୟ ଏପରି ପଦକ୍ଷେପ ନେବା ଖୁବ କଠିନ ଥିଲା  । କାରଣ  ମୃତ ପତିଙ୍କୁ ଭୁଲିବା ତାଙ୍କ ପାଇଁ ଆଦୌ ସହଜ ନ ଥିଲା ।  ଯାହା ବି ହେଉ, ଦୁଇ ସପ୍ତାହ ତଳେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.