ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି। ଉଦଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା। ଉଦଯାପନୀ ଉତ୍ସବରେ ବାଳିକା ଶିକ୍ଷା ସଂଯୋଜିକା ଲିପିକା ଅପରାଜିତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରଜମୋହନ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ଶିକ୍ଷକ ସଂଜୀବ ଶର୍ମା, ବିଜ୍ଞାନ ଶିକ୍ଷକ ବୀରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ସମାରୋହକୁ ଯୁବ ଶିକ୍ଷକ ଡିଲେଶ୍ୱର ରଣା ସଂଯୋଜନା କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଯଥାକ୍ରମେ ପୁଷ୍ପିତା ରଣା, ଲିଜାରାଣୀ ଦେବ, ଲକ୍ଷ୍ମୀପ୍ରତିମା ରାଉତ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ବେଳେ ଚିତ୍ରାଙ୍କନରେ ଚୁମକି ହରିଜନ, କୁନ୍ତଳା ରଣା, ବୈଦେହୀ ରଣା ଓ ଅଙ୍କିତା ଦୀପ ଏବଂ ତର୍କରେ ସୁମନ ପ୍ରଧାନ, ଜୁଲି ସାହା, ସାଳିନୀ ରଣା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।